ବିଜେପି ପାଇଁ ବରଦାନ ହେବେ କି ରାଜୁ ! ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ…

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିବସ । ଆଉ ଶେଷ ଦିନରେ ବିଜେଡିକୁ ଲାଗିଛି ଝଟକା । କାରଣ ବିଜେଡିରୁ ଧାନନଗର ଆସନ ପାଇଁ ଥିବା ଆଶାୟୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଆଶାରେ ପାଣି ମାଡିଗଲା ପରେ ଏବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

ଧାମନଗରବାସୀ ମୋ ସହ ଅଛନ୍ତି ଏବଂ ମୁଁ ନିଶ୍ଚୟ ବିଜୟୀ ହେବି । ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି । ୨୦୧୯ ନିର୍ବାଚନରେ କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ମୁଁ ଅଳ୍ପ ବ୍ୟବଧାନରେ ହାରିଥିଲି । ତେବେ ଲୋକମାନଙ୍କ ଆସ୍ଥା ମୋ ଉପରେ ରହିଛି ଏବଂ ମୁଁ ନିର୍ବାଚନ ଲଢ଼ିବି ବୋଲି କୋହଭରା କଣ୍ଠରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି ରାଜୁ ଦାସ । ଅପରପକ୍ଷେ ସେ କୌଣସି ମତେ ନାମାଙ୍କନ ପ୍ରତ୍ୟାହାର କରିବାର ନାହିଁ ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି ।
ଧାମନଗର ଉପନିର୍ବାଚନ ପାଇଁ ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଚରମ ସୀମାରେ ପହଞ୍ଚିଥିଲା ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ । ଦଳ ପକ୍ଷରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜେନ୍ଦ୍ର ଦାସ ଆଜି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ଦିନରେ ସେ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଚଳିତଥର ଧାମନଗରରେ ସ୍ୱାଭିମାନର ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ଧାମନଗନର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନ ଭରିଥିବାବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମଧ୍ୟ ନାମାଙ୍କନ ଦାଖଲ କରିସାରିଛନ୍ତି । ଅନ୍ୟପକ୍ଷରେ ଆଜି ବିରାଟ ଶୋଭାଯାତ୍ରରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ନିଜର ନାମାଙ୍କନ ଦାଖଲ କରିବେ ।
ବିଜେଡି ପକ୍ଷରୁ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ସମୟରେ ରାଜୁଙ୍କ ଉପସ୍ଥିତିରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା । ସେତେବେଳେ ରାଜୁ ଏହାକୁ ସମର୍ଥନ କରିଥିଲେ । ମାତ୍ର ଭୁବନେଶ୍ୱରରୁ ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା । ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ । ଏପରିକି ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ ।
ତେବେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡିର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଥିଲା । ହେଲେ ସେଥିରେ ରାଜୁଙ୍କ ମାନଭଞ୍ଜନ ହୋଇନଥିଲା । ଆଉ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।