ଗୃହିଣୀରୁ ସଫଳ ଗାଳ୍ପିକା । ସେ ହେଉଛନ୍ତି ଗାଳ୍ପିକା ତଥା ଅନୁବାଦିକା ଅନୁରୂପା ସିଂ

ସେ ଜଣେ ଗୃହିଣୀ । ମାତ୍ର ଲେଖିବାର ନିଶା ଆଜି ତାଙ୍କୁ ପ୍ରଦାନ କରିଛି ସ୍ବତନ୍ତ୍ର ପରିଚୟ । ସେ ହେଉଛନ୍ତି ଅନୁରୂପା ସିଂ । ତାଙ୍କର ପ୍ରକାଶିତ ମୌଳିକ ଗଳ୍ପ ଏବଂ ଅନୁବାଦ ଗଳ୍ପ ତାଙ୍କୁ ଜଣେ ସଫଳ ଗାଳ୍ପିକା ତଥା ଅନୁବାଦିକା ଭାବରେ ସାହିତ୍ୟ ଜଗତରେ ପାଠକୀୟ ସ୍ବୀକୃତି ପ୍ରଦାନ କରିଛି । ଉନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଭାରତୀୟ ସ୍ରଷ୍ଟାମାନଙ୍କର ସୃଷ୍ଟିରୁ ସଂଗ୍ରହ କରି ଓଡିଆ ଭାଷାରେ ଅନୁଦିତ କରିଛନ୍ତି ଅନେକ କାହାଣୀ । କାଳଜୟୀ ସ୍ରଷ୍ଟା ଅମୃତା ପ୍ରୀତମଙ୍କର ସତରଟି କାହାଣୀକୁ ନେଇ ‘ଅମୃତା ପ୍ରୀତମଙ୍କର ସ୍ମରଣୀୟ କାହାଣୀ’ ଏବଂ ଚାରି ଜଣ ଶ୍ରେଷ୍ଠ ସାହିତ୍ୟକାରଙ୍କ କୋଡିଏଟି ନିର୍ବାଚିତ କାହାଣୀକୁ ଆଧାର କରି ’୨୦ ଅଦ୍ବିତୀୟ ଅନୁଭବ’ ପୁସ୍ତକ ଉନ୍ମୋଚିତ ହୋଇସାରିଛି ।

ଏତଦ୍ ବ୍ୟତୀତ ନାରୀ ପ୍ରତିଭା ମନ୍ନୁ ଭଣ୍ଡାରୀଙ୍କ ‘ଆପକି ବଣ୍ଟି’ ଉପନ୍ୟାସର ଓଡିଆ ଅନୁବାଦ ‘ଆପଣଙ୍କର ବଣ୍ଟି’ କିଛିଦିନ ତଳେ ଭାରତୀୟ ଅନୁବାଦ ସମ୍ମିଳନୀ, ଭୁବନେଶ୍ବରରେ ଖ୍ୟାତନାମା ଅନୁବାଦକମାନଙ୍କ କରକମଳରେ ଉନ୍ମୋଚିତ ହୋଇ ତାଙ୍କୁ ଜଣେ ବଳିଷ୍ଠ ଅନୁବାଦିକା ଭାବରେ ସ୍ବୀକୃତି ପ୍ରଦାନ କରିଛନ୍ତି । ତେବେ ଆସନ୍ତା ବର୍ଷରେ ସେ ଗୋଟିଏ ମୌଳିକ ଉପନ୍ୟାସ ଓ ଦୁଇଟି ଅନୁବାଦ ଗଳ୍ପ ସଂକଳନ ପ୍ରକାଶିତ କରି ପାଠକମାନଙ୍କୁ ଭେଟି ଦେବା ପାଇଁ ପ୍ରୟାସରତ ଥିବା କହିଛନ୍ତି ।