ଓଡିଶା କଳା ସଂସ୍କୃତି

କୁମାର ପୂର୍ଣ୍ଣିମା । ଆଜି ପୂର୍ଣ୍ଣିମାର ଚନ୍ଦ୍ର କିରଣକୁ ଅମ୍ରିତ୍ ବର୍ଖା (ଅମୃତ ବର୍ଷା) କୁହାଯାଏ ।

କୁମାର ପୂର୍ଣ୍ଣିମାର ଆଜି ଦିନଟି କୁମାରୀ ମାନଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖେ । ଏହି ଦିନ କୁମାରୀ ମାନେ ନିଜର ମନଲାଖି ସ୍ୱାମୀ ପ୍ରାପ୍ତି ପାଇଁ ଚନ୍ଦ୍ରଙ୍କୁ ପ୍ରାର୍ଥନା କରିଥାନ୍ତି । ଏହାସହ କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ ।

ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ ।

ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼ରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ପ୍ରଶାସନଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ ।

ଲକ୍ଷ୍ମୀ ମେଢ଼

ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ । ତେବେ ଏହି ସ୍ଥାନଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥା’ନ୍ତି ଏବଂ ଯେଉଁମାନେ ରାତିସାରା ଜାଗ୍ରତ ରହନ୍ତି କେବଳ ସେମାନଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏହିଦିନ ରାତିରେ ଲୋକ ମାନେ ଗୀତଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି । ଆହୁରି ମଧ୍ୟ ଏହିଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ଖାଇଥାନ୍ତି । କ୍ଷୀରକୁ ବହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ । ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ । କେତେକ ଲୋକ ଏହି ଦିନ ରାତିରେ ଥଣ୍ଡା କ୍ଷୀର ଓ ଚୁଡ଼ା ମଧ୍ୟ ଖାଇଥାନ୍ତି । ମରାଠୀମାନଙ୍କ ପାଇଁ ଏହାଏକ ବିଶେଷ ପର୍ବ। ଏହି ପର୍ବରେ ଘରର ଜ୍ୟେଷ୍ଠସନ୍ତାନକୁ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ ।

ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ଶରଦ୍ ପୁନମ୍ କୁହାଯାଏ। ଏହିଦିନ ରାତିସାରା ସେଠାକା ର ଲୋକମାନେ ଗରବା ଓ ଦାଣ୍ଡିଆ ଖେଳିଥାନ୍ତି ।
ପଶ୍ଚିମ ବଙ୍ଗରେ ଏହି ପର୍ବକୁ ଲୋଖୀ ପୂଜୋ କୁହାଯାଏ ଏବଂ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅତି ଆଡ଼ମ୍ବରରେ କରାଯାଇଥାଏ।ମିଥିଳା ରେ ଏହି ପର୍ବ କୋଜାଗରାହ ନାମରେ ଜଣାଶୁଣା । ଏହି ଦିନ ସକାଳୁ ଘରର ଅଗଣାକୁ ଭଲ ଭାବରେ ଧୋଇ ପରିଷ୍କାର କରାଯାଇ ସେଠାରେ ଚିତା ପକାଯାଇଥାଏ । ତା’ପରେ ଘରେ ଥିବା ସମସ୍ତ ଦେବାଦେବୀଙ୍କ ମୂର୍ତ୍ତୀ ତଥା ଫଟୋକୁ ଭଲ ଭାବରେ ସଫା କରି ଅଗଣାରେ ସ୍ଥାପନ କରାଯାଇଥାଏ । ତା’ପରେ ଠାକୁରଙ୍କୁ ପାନ, ଗୁଆ ଇତ୍ୟାଦିଦ୍ୱାରା ପୂଜା କରାଯାଏ । ଠାକୁରଙ୍କୁ ଭୋଗ ରୂପେ ଖିରୀ ଓ ବତାଶା (ଏକ ପ୍ରକାର ମିଷ୍ଟାନ୍ନ) ଅର୍ପଣ କରାଯାଇଥାଏ ।

ଗରବା ଖେଳ

ଦେବାଦେବୀମାନଙ୍କୁ ପୂର୍ଣ୍ଣିମାର ଚନ୍ଦ୍ର କିରଣରେ ଗାଧୋଇଦେବା ପାଇଁ ରାତି ସାରା ଅଗଣାରେ ରଖାଯାଇଥାଏ । ଏହି ପୂର୍ଣ୍ଣିମାର ଚନ୍ଦ୍ର କିରଣକୁ ଅମ୍ରିତ୍ ବର୍ଖା (ଅମୃତ ବର୍ଷା) କୁହାଯାଏ । ନବ ବିବାହିତ ଦମ୍ପତିମାନଙ୍କ ପାଇଁ ଏହାଏକ ଗୁରୁତ୍ୱ ପୂର୍ଣ୍ଣ ପର୍ବ । ଏହିଦିନ ଘରର ନବବିବାହିତ ବଧୂ ସମ୍ପୂର୍ଣ୍ଣ ଘରକୁ ଝୋଟି ଓ ଚିତାଦ୍ୱାରା ସଜାଇଥାଏ । ନବବିବାହିତ ବର, ବଧୂ ଓ ଦିଅରମାନେ ଏହି ଦିନ ରାତି ସାରା ବିଭିନ୍ନ ପ୍ରକାରର ଖେଳ ଖେଳିଥାନ୍ତି । ଏହି ଦିନ ସମସ୍ତେ ପାନ, ଗୁଆ ଓ ମିଠା ବାଣ୍ଟିଥା’ନ୍ତି । ଏହି ଦିନ ବଧୂର ବାପଘରୁ ତା’ର ଶାଶୁଘରକୁ ଚାଉଳ, ଦୁବ ଘାସ, ଗୁଆ, ପାନ, ନଡ଼ିଆ, କଦଳୀ, କାଜୁ, ପେସ୍ତା ବାଦାମ, ପଇତା ସୂତା, ଲବଙ୍ଗ, ଗୁଜୁରାତି, ରୌପ୍ୟ ମୁଦ୍ରା କିମ୍ବା ରୂପାରେ ତିଆରି ମାଛ କିମ୍ବା ରୂପାରେ ତିଆରି କଇଁଛ, ଦହି, ବିଭିନ୍ନ ପ୍ରକାରର ମିଷ୍ଟାନ୍ନ, ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ଓ ମିଥିଳାର ପଟ୍ଟଚିତ୍ର ଇତ୍ୟାଦି ଭାର ହିସାବରେ ପଠାଯାଇଥାଏ ।

ମିଥିଳାରେ ପ୍ରଚଳିତ ଏକ କିମ୍ବଦନ୍ତୀ ଅନୁସାରେ ଲକ୍ଷ୍ମୀ ଓ ଅଲକ୍ଷ୍ମୀ ଦୁଇ ଭଉଣୀ । ଲକ୍ଷ୍ମୀ ମିଠା ଖାଇବାକୁ ଭଲ ପାଆନ୍ତି ଓ ସୌଭାଗ୍ୟ ଆଣନ୍ତି । କିନ୍ତୁ ଅଲକ୍ଷ୍ମୀ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଓ ଦୁର୍ଭାଗ୍ୟ ଆଣନ୍ତି । ତେଣୁ ଏହି ଦିନ କିଛି ମସଲାଯୁକ୍ତ ଖାଦ୍ୟ ଘର ବାହାରେ ରଖିଦିଆ ଯାଇଥାଏ । ଯାହା ଫଳରେ ଅଲକ୍ଷ୍ମୀ ସେହି ସବୁ ଖାଦ୍ୟନେଇ ଘର ବାହାରକୁ ଚାଲିଯିବେ।ସେହିପରି ଅଳ୍ପ କିଛି ମିଷ୍ଟାନ୍ନ ଘର ବାହାରେ ରଖାଯାଏ ଏବଂ ଅଧିକ ପରିମାଣରେ ମିଷ୍ଟାନ୍ନ ଘର ଭିତରେ ରଖାଯାଇଥାଏ । ଯାହା ଫଳରେ ଲକ୍ଷ୍ମୀ ମିଠା ଖାଇବା ପାଇଁ ଘର ଭିତରକୁ ଆସିବେ ଓ ଘର ଭିତରେ ହିଁ ରହିଯିବେ । ମିଥିଳାର କେତେକ ଅଞ୍ଚଳରେ ଏହି ଦିନ ଠାରୁ କାଳୀ ପୂଜା ଆରମ୍ଭ ହୋଇ ଦୀପାବଳୀ ପର୍ଯ୍ୟନ୍ତ ଚାଲେ ଓ ଦୀପାବଳୀ ରେ ନିଶାପୂଜା ସହ ଏହାର ଉଦ୍ଯାପନ ହୋଇଥାଏ ।

ଏହି ଦିନ ରାତିରେ ଚୁଡ଼ା ସହ କ୍ଷୀର ଖାଇବା ପଛରେ ଏକ ଆୟୁର୍ବେଦିକ କାରଣ ରହିଛି । ଏହି ପର୍ବ ଶରତ ଋତୁରେ ପଡ଼ିଥାଏ । ଗ୍ରୀଷ୍ମ ଋତୁର ଶେଷ ସମୟ ଓ ଶୀତ ଋତୁର ଆରମ୍ଭ ସମୟକୁ ଶରତ ଋତୁ କୁହାଯାଏ । ଏହି ଋତୁ ଦୁଇ ମାସ ଧରି ରହିଥାଏ । ଏହି ଋତୁରେ ଦିନ ଉଷୁମ ରହୁଥିଲା ବେଳେ ରାତିରେ ଶୀତ ଅନୁଭୂତ ହୋଇଥାଏ । ଏହି ସମୟରେ ଋତୁ ପରିବର୍ତ୍ତନ ଯୋଗୁଁ ବାତ ଦୋଷ, ପିତ୍ତ ଦୋଷ ଓ କଫ ଦୋଷ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ରାତିରେ ଚୁଡ଼ା ସହ କ୍ଷୀର ଖାଇବାଦ୍ୱାରା ଏହି ସବୁ ଦୋଷ ହେବାର ସମ୍ଭାବନା କମିଯାଇଥାଏ ।ବିଶ୍ୱାସ ଅଛି ଯେ, ଏହି ଦିନ ରାତିରେ ଲକ୍ଷ୍ମୀ ଆକାଶରେ “କୋ ଜାଗର୍ତି ?” କହି କହି ବୁଲନ୍ତି ଓ ଯିଏ ରାତି ସାରା ଉଜାଗର ରହିଥାଏ ତା’ ଉପରେ କୃପା କରିଥାନ୍ତି । ସଂସ୍କୃତ ବାକ୍ୟ “କୋ ଜାଗର୍ତି ?”ର ଅର୍ଥ “କିଏ ଜାଗ୍ରତ ଅଛି ?” । ତେଣୁ ଏହି ପର୍ବକୁ କୋଜାଗରି ପୁନମ୍ ମଧ୍ୟ କୁହାଯାଏ ।

କୁମାର ପୂର୍ଣ୍ଣିମା ଦିନ ଚଉରା ଓ ଚନ୍ଦ୍ରଙ୍କୁ ଭୋଗ ଦେବା ପାଇଁ ଓଡ଼ିଶାର ଘରେ ଘରେ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ସେହିପରି ଓଡ଼ିଶାର ଜଣାଶୁଣା ପିଠାମାନଙ୍କ ମଧ୍ୟରେ ଅନ୍ୟତମ ମଣ୍ଡାପିଠା ମଧ୍ୟ ଏହି ଦିନ ଏକ ବିଶେଷ ଭୋଗ ଭାବରେ ତିଆରି କରାଯାଇଥାଏ । ଭୋଗରେ ଲାଗୁଥିବା ମଣ୍ଡା ପିଠାଗୁଡ଼ିକ ମଧ୍ୟରୁ ଗୋଟିଏ ପିଠା ଆକାରରେ ଅନ୍ୟ ପିଠାମାନଙ୍କ ଠାରୁ ବଡ଼ ଥାଏ । ଏହି ପିଠାଟିକୁ ଚାନ୍ଦ ମଣ୍ଡା କୁହାଯାଏ । ଭୋଗ ହୋଇସାରିଲା ପରେ ପରିବାର ର ଲୋକେ ଉଭୟ ଚାନ୍ଦ ଚକଟା ଓ ମଣ୍ଡା ପିଠାକୁ ଖାଇଥାନ୍ତି ।

ଓଡ଼ିଶାର କେତେକ ଅଞ୍ଚଳରେ କେବଳ କୁମାରୀ କନ୍ୟାମାନେ ହିଁ ଚାନ୍ଦ ମଣ୍ଡାଟିକୁ ଖାଇଥାନ୍ତି । ଚାନ୍ଦ ଚକଟା ଓ ମଣ୍ଡା ପିଠା ବ୍ୟତୀତ ଏହି ଦିନ ଘରେ ଘରେ ଖିରୀ-ପୁରୀ ଇତ୍ୟାଦି ମଧ୍ୟ ରନ୍ଧାଯାଇଥାଏ । ନିଜ ଘରେ ହୋଇଥିବା ପିଠା ପଣାକୁ ଏହି ଦିନ ଲୋକେ ସାଇ-ପଡ଼ିଶାରେ ବାଣ୍ଟିଥାନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା