ମା ଶାରଳା । ପର୍ଶୁରାମ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିବାରୁ ଦେବୀଙ୍କ ଅନ୍ୟନାମ ସାରଦା

ତ୍ରେତୟା ଯୁଗରେ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ତୀର୍ଥ ପର୍ଯ୍ୟଟନରେ ବାହାରିଲେ, ଉଦ୍ଦେଶ୍ୟ ଥିଲା ଯିବାବାଟରେ ମାତୃତୀର୍ଥ ସ୍ଥାପନ କରିବା । ସ୍ଥାନରୁ ସ୍ଥାନ ଭ୍ରମଣ କରୁଥିବା ସମୟରେ ସେ ଚନ୍ଦ୍ରଭାଗା ନଦୀ ନିକଟରେ ପହଞ୍ଚିଲେ, ନଦୀରେ ବୁଡ ପକାଇ ଏକ ବରଗଛ ମୂଳରେ ବିଶ୍ରାମ ନେଲେ । ଯେତେବେଳେ ଧ୍ୟାନରେ ବସିଲେ, ଏକ ଶକ୍ତି ଲୁକ୍କାୟିତ ଥିବାର ସେ ଜାଣିବାକୁ ପାଇଲେ ଏବଂ ଆତ୍ମପ୍ରକାଶ କରିବାକୁ ଚାହୁଁଛି । ଏହାପରେ ପର୍ଶୁରାମ ଏକ ପରଶମଣି ଶିଳା ଯାହା ଅଦ୍ଭୁତ ଚକ୍ ମକ୍ ଉଜ୍ଜଳ ମୁଗୁନିପଥର, ମାଟିତଳୁ ଉଦ୍ଧାର କଲେ । ଦେବୀଙ୍କ ଦିବ୍ୟ ପ୍ରତିକୃତି ତୀରଦ୍ୱାରା ଆଙ୍କିଲେ । ସେଇସ୍ଥାନରେ କିମ୍ବଦନ୍ତୀ ବର୍ଣ୍ଣିତ ଭେଟିଥିବା ବରଗଛ ‘ଭେଟବର’ ଅଛି । ଝଙ୍କାର ବା ଝଙ୍କଡ଼ ନାମ ଭାଷା ଜନିତ ଶବ୍ଦ ଯାହା ଦିବ୍ୟ ପଥରକୁ ପର୍ଶୁରାମଙ୍କ ତୀର ସ୍ପର୍ଶଦ୍ୱାରା ସୃଷ୍ଟି ହେଉଥିବା ସମ୍ମୋହନଜନକ ଝଙ୍କାର ବା ପ୍ରତିଧ୍ୱନି ସୃଷ୍ଟି ହେଉଥିଲା । କିମ୍ବଦନ୍ତୀ ଅନୁଯାୟୀ, ପର୍ଶୁରାମ ଶରରେ ଦେବୀଙ୍କ ପ୍ରତିକୃତି ଖୋଦିତ କରିଥିବାରୁ ଦେବୀଙ୍କ ଅନ୍ୟନାମ ସାରଦା । ଅନ୍ୟଏକ ଜନଶ୍ରୁତି ଅନୁସାରେ ପର୍ଶୁରାମ ବହୁ ତୀର୍ଥକୁ ପର୍ଯ୍ୟଟନ କରି ପବିତ୍ର ନଦୀମାନଙ୍କରେ ସ୍ନାନ କରିଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବାକୁ ଯିବା ସମୟରେ ନିଜର ଧନୁଟିକୁ ଏକ ବଟବୃକ୍ଷ ମୂଳରେ ଡେରି ଦେଇଥିଲେ । ସ୍ନାନରୁ ଫେରିଆସି ସେ ଆଶ୍ଚର୍ଯ୍ୟ ହେଲେ । କାରଣ ତାଙ୍କ ଧନୁର ଗୁରୁତା ଯୋଗୁଁ ସର୍ବତ୍ର ସେ ମାଟି ସ୍ଖଳନ ହେବାର ଦେଖିଥିଲେ । କିନ୍ତୁ ସେଠାରେ କିଛି ସେମିତି ଘଟିଲା ନାହିଁ । ସେହିସ୍ଥାନର କିଛି ମହାତ୍ମ୍ୟ ଥିବାର ମନେକରି ମାଟି ଖନନ କଲେ ଓ ଏକ ପଥର ଖଣ୍ଡରେ ଏକ ଶକ୍ତିମୟୀଙ୍କ ମୂର୍ତ୍ତି ଅଙ୍କନ ହୋଇଥିଲା । ସେହି ଦେବୀ ମୂର୍ତ୍ତିଙ୍କୁ ସେଠାରେ ସ୍ଥାପନା କଲେ ।
ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଉକ୍ତସ୍ଥାନ ଓ ପ୍ରତିମୂର୍ତ୍ତି, ଦେବୀପୁରାଣ ଆଉ ଅନ୍ୟ ପୌରାଣିକ ଗ୍ରନ୍ଥରେ ବର୍ଣ୍ଣିତ ଦକ୍ଷଯଜ୍ଞ ସମ୍ପର୍କୀତ ଅଟେ, ଦକ୍ଷକନ୍ୟା ଆଦିଶକ୍ତି ସତୀ, ପ୍ରଭୁଶିବଙ୍କ ପତ୍ନୀ ଯଜ୍ଞରେ ପିତା ଦକ୍ଷଙ୍କର ଶିବଙ୍କ ପ୍ରତି ନିନ୍ଦା ସହିନପାରି ଆତ୍ମବିସର୍ଜନ କଲେ। ଗଭୀର ଦୁଃଖ ଓ ଅନୁତାପରେ , ଶିବ ସତୀଙ୍କ ଶରୀରକୁ କାନ୍ଧରେ ପକାଇ ଅବିଶ୍ରାନ୍ତ ଭାବେ ଇତସ୍ତିତ ଘୁରି ବୁଲିଲେ । ଶିବଙ୍କ କ୍ରୋଧକୁ ଯାହା ଜନସମାଜ ପାଇଁ କ୍ଷତିକାରକ ହୃଦୟଙ୍ଗମ କରି ବିଷ୍ଣୁ ଚକ୍ରଦ୍ୱାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଲେ । ତାଙ୍କର ଶରୀରର ଅଂଶଗୁଡ଼ିକ ୫୧ସ୍ଥାନରେ ପଡ଼ିଲା, ପ୍ରତ୍ୟେକ ସ୍ଥାନ ହେଲା ପବିତ୍ରସ୍ଥାନ ଆଉ ଶକ୍ତିପୀଠ ।
ପୌରାଣିକ ମତ ଅନୁସାରେ ନାଭି ପଡ଼ିଥିଲା ଯାଜପୁରରେ, ଯେଉଁଠି ବିରଜା ପୂଜା ପାଉଛନ୍ତି ତାହା ନାଭିକ୍ଷେତ୍ର ରୂପେ ବିଦିତ । ପାଦ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଯେଉଁଠାରେ ବିମଳା ପୂଜା ପାଉଛନ୍ତି ତାହା ପାଦପୀଠ ରୂପେ ଖ୍ୟାତ ଏବଂ ଜିଭ ଝଙ୍କଡ଼ରେ ପଡ଼ିଥିଲା ଯାହା ଜିହ୍ନା ବା ବାଣୀପୀଠ ରୂପେ ଖ୍ୟାତ । ତେଣୁ ଦେବୀ ସାରଳାଙ୍କୁ ମଧ୍ୟ ‘ଉତ୍କଳ ଭାରତୀ’ କୁହାଯାଏ । ( ସଂଗୃହିତ )