କଟକ ଜଗତପୁର ଅଞ୍ଚଳରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ କାର ଭଙ୍ଗା ରୁଜା କରି ଆତଙ୍କ ଖେଳାଉଛି ହାତୀ

କଟକ ଜଗତପୁର ନିମପୁର ଅଞ୍ଚଳରେ ହାତୀ ଆତଙ୍କ । ରାତିସାରା ହାତୀ ଘର ଭାଙ୍ଗିବା ସହ କାର ମଧ୍ୟ ଭଙ୍ଗାରୁଜା କରିଛି । ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଅନ୍ୟପଟେ ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ଜଗତପୁର ଗୋଲେଇ ଛକଠାରୁ ଆଇବି ରୋଡ଼ ପର୍ଯ୍ୟନ୍ତ କେହି ଯାତାୟତା ନକରିବା ପାଇଁ ସତର୍କତା ଜାରି କରାଯାଇଛି ।
ସୂଚନା ମୁତାବକ, ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରୁଛନ୍ତି । ରାତିସାରା ହାତୀପଲ ଉପଦ୍ରବ ଜାରି ରଖିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଜି ଭୋରରୁ ହାତୀପଲ ସମ୍ମୁଖରେ ଜଣେ ବୃଦ୍ଧା ଓ ବୃଦ୍ଧଙ୍କୁ ପଡ଼ି ଯାଇଥିବା ବେଳେ ଉଭୟଙ୍କୁ ଦଳି ଦେଇଥିଲା ହାତୀପଲ । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ବନ ବିଭାଗର ୧୦୦ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ହାତୀ ଆକ୍ରମଣ ଭୟ ରହିଥିବାରୁ ଘରୁ ନ ବାହାରିବାକୁ ପୋଲିସ ମାଇକ ଯୋଗେ ପ୍ରଚାର କରିବା ସତ୍ତ୍ୱେ ବହୁ ଲୋକ ହାତୀ ଦେଖିବାକୁ ରାସ୍ତା ଉପରକୁ ଚାଲି ଆସୁଛନ୍ତି । ଫଳରେ ଭିଡ଼କୁ ନିୟନ୍ତ୍ରଣ କରିବା ତଥା ହାତୀ ଘଉଡ଼ାଇବା କାଠିକର ପାଠ ହୋଇ ପଡିଛି ।
ସାଲେପୁରରୁ ଅଭୟ ଜେନା