ପୁଣି ଚିନ୍ତା ବଢାଇଲାଣି ସକ୍ରିୟ ଘୂର୍ଣ୍ଣିବଳୟ ; ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ବନ୍ୟା ଜଳସ୍ତର କମୁଥିବାବେଳେ ଏବେ ପୁଣି ଚିନ୍ତା ବଢାଇଲାଣି ସକ୍ରିୟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏ ନେଇ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୧ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।
ପାରାଦୀପ ରାଡାରରୁ ମିଳିଥିବା ତଥ୍ୟ ମୁତାବକ ଜଗତସିଂହପୁର, କେନ୍ଦ୍ରାପଡା ସମେତ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଉ କିଛି ଉପକୂଳ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ମଧ୍ୟ ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସମେତ ଚାଷଜମି ଜଳମଗ୍ନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସୂବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇାବାର ସମ୍ଭାବନା ରହିଛି ।
ସେହିପରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଛି । ବିଶେଷକରି କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ସୋନପୁର, ବରଗଡ଼, ବଲାଙ୍ଗୀର, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।