ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ସୁଦ୍ଧା ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ଏ ନେଇ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି,କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।
୧୯ ଓ ୨୦ ତାରିଖରେ ହେବାକୁ ଥିବା ବର୍ଷାର ପ୍ରଭାବ ନଦୀଗୁଡ଼ିକ ଉପରେ ପଡ଼ିବ । ଯେଉଁ ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ରହିଛି, ସେଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି । ଉତ୍ତର-ପଶ୍ଚିମ ଓଡ଼ିଶାର ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି ।