ଭୁବନେଶ୍ୱରରୁ ଜୟପୁରକୁ କେବେଠାରୁ ନିୟମିତ ବିମାନ ସେବା ଆରମ୍ଭ ହେବ କାହା ପାଖରେ ନାହିଁ ଉତ୍ତର; ବିନା ଯାତ୍ରୀରେ ପରୀକ୍ଷମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ,

ଜୟପୁରରୁ ନିୟମିତ ବିମାନ ସେବା ଆରମ୍ଭ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ପରୀକ୍ଷା ମୂଳକ ଭାବେ ଆଜି ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଉଡାଣ ଭରିଥିଲେ ବି ଆଜି ଯାଏଁ DGCA ର ଅନୁମତି ମିଳିଲା ନାହିଁ । ସେହିପରି ଏୟାରପୋର୍ଟ ଭିତ୍ତିଭୂମିରେ କିଛି ତ୍ରୁଟିଥିବା କଥା ମଧ୍ୟ ଆଜିର ପରୀକ୍ଷା ମୂଳକ ଉଡାଣରେ ସାମ୍ନାକୁ ଆସିଛି । ଏସବୁ ତ୍ରୁଟି ସୁଧାରିବା ପରେ ହିଁ ନିୟମିତ ବିମାନସେବା ଆରମ୍ଭ ହୋଇ ପାରିବ ବୋଲି ସୂଚନା ମିଳିଛି । ସେପଟେ ବିମାନସେବା ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଦିନ ପରେ ଦିନ ଗଡୁଛି । ଜଣଙ୍କ ପରେ ଆଉ ଜଣେ ଅଧିକାରୀ ଆସି ଜୟପୁର ଏୟାରପୋର୍ଟରେ ସ୍ଥିତି ସମୀକ୍ଷା କରୁଛନ୍ତି । ତଥାପି କେବେଠାରୁ ନିୟମିତ ବିମାନ ସେବା ଆରମ୍ଭ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରୁ ଜୟପୁରକୁ ୯ ସିଟ୍ ବିଶିଷ୍ଟ ବିମାନ ଉଡାଣ ଭରିଥିଲେ ବି ଜୟପୁର ବିମାନ ବନ୍ଦରରେ ଅନେକ ତ୍ରୁଟି ଥିବା କଥା DGCA କହିଛି । ତେଣୁ ନିୟମିତ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ଅନୁମତି ଦେଉନି DGCA । ଆଉ ଏକଥା ସ୍ପଷ୍ଟ କରିଛନ୍ତି ଜୟପୁର ଏୟାରପୋର୍ଟ ମ୍ୟାନେଜର ଓ ଜୟପୁର ଉପଜିଲ୍ଲାପାଳ । ଆଜି ଘରୋଇ ଇଣ୍ଡିଆ ଓ୍ବାନ୍ ଏୟାରର ୪ଜଣ ଅଧିକାରୀ ପରୀକ୍ଷା ମୂଳକ ଭାବେ ୯ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଦିନ ୧୦ଟାରେ ଉଡାଣ ଭରି ଜୟପୁରରେ ଦିନ ୧୧.୩୫ ମିନିଟରେ ପହଞ୍ଚିଥିଲା । ସେହିପରି ଦିନ ୧୨.୩୦ରେ ପୁଣିଥରେ ଜୟପୁର ବିମାନ ବନ୍ଦରରୁ ଉଡାଣ ଭରି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା । ଏଠାରେ ଥିବା ଭିତ୍ତିଭୂମିରେ ସୁଧାର ଆସିବା ପରେ ହିଁ ନିୟମିତ ଯାତ୍ରୀ ସେବା ଆରମ୍ଭ ହୋଇ ପାରିବ । ତେବେ ଏହା କେବେ ହେବ ଏହାର ଉତ୍ତର କାହା ପାଖେ ନାହିଁ ।

ସେପଟେ ଆଜିର ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ବିମାନ ଉଡାଣ ଯାତ୍ରୀଙ୍କ ପାଇଁ ନଥିଲା । ଏପରିକି ଏୟାରପୋର୍ଟ ଭିତରକୁ ଯିବା ପାଇଁ ଗଣମାଧ୍ୟମକୁ ଅନୁମତି ନଥିଲା । ତଥାପି କିଛି ଯାତ୍ରୀ ଟିକେଟ୍ ଆଶାରେ ଏୟାରପୋର୍ଟକୁ ଆସିଥିଲେ । ହେଲେ ଯାତ୍ରୀ ସେବା ଆରମ୍ଭ ହୋଇନଥିବା ଜାଣି ମନ ଦୁଃଖରେ ଘରକୁ ଫେରିଥିଲେ । ଉଡାଣ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାର ସାମିଲ କରି ଏହାକୁ ନିୟମିତ ଏୟାରପୋର୍ଟରେ ରୁପାନ୍ତରିତ କରିଛନ୍ତି । ପ୍ରଥମେ ୯ ସିଟ୍ ବିଶିଷ୍ଟ ଉଡାଜାହାଜ ଯାତ୍ରୀ ସେବା ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଏଠାରୁ ୭୨ ସିଟ୍ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବାର ଯୋଜନା ରହିଛି । ଆଉ ଏହାଦ୍ବାରା ପୁରା ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ରର ଲୋକ ବି ଉପକୃତ ହୋଇପାରିବେ ।
୪ ବର୍ଷ ତଳୁ ଜୟପୁର ଏୟାରଷ୍ଟ୍ରିପକୁ ଉଡାଣ ଯୋଜନାରେ ସାମିଲ କରି ଏୟାରପୋର୍ଟରେ ରୁପାନ୍ତରିତ କାମ ଚାଲିଛି । ତଥାପି ଏଠାରେ ନା କାମ ସରୁଛି ନା ବିମାନ ସେବା ଆରମ୍ଭ ହୋଇ ପାରୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ତେବେ ଆଜିର ପରୀକ୍ଷାମୂଳକ ଉଡାଣ ପରେ ଏ କଥା ସ୍ପଷ୍ଟ ଯେ ନିୟମିତ ବିମାନ ସେବା ପାଇଁ ଏଠାକାର ଲୋକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ଜୟପୁରରୁ ସୁନୀଲ ଦାଶ