ସାମ୍ବାଦିକ ରତ୍ନାକର ବାରିକଙ୍କୁ ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ ଦାବିରେ ନେମାଳ ଥାନା ଘେରାଉ

କଟକ ଜିଲ୍ଲା ନେମାଳ ଥାନା ପୋଲିସ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶିକାର ହେଲେ । ଆହତ ସାମ୍ବାଦିକ ରତ୍ନାକର ବାରିକଙ୍କୁ କଟକ ଏସସିବିରେ ଭର୍ତ୍ତି ହେବାକୁ ପଡିଲା । ତେବେ ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇନି ଏବଂ ପୀଡ଼ିତଙ୍କ ବିରୁଦ୍ଧରେ ପୋଲିସର ମିଥ୍ୟା ମାମଲା ରୁଜୁ ଘଟଣାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ସାମ୍ବାଦିକ ଆଜି ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ ନେମାଳଠାରୁ ଏକ ପଟୁଆରରେ ବାହାରି ନେମାଳ ଥାନା ଘେରାଉ କରିଥିବା ଦେଖିବାକୁ ମିଳିଛି ।
ସ୍ଥାନୀୟ ପୋଲିସର ସାମ୍ବାଦିକ ବିରୋଧି ମନୋଭାବକୁ ଦୃଢ ନିନ୍ଦା କରାଯିବା ସହ, ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ବୋଲି ବିଭିନ୍ନ ସାମ୍ବାଦିକ ସଂଗଠନର ନେତାମାନେ ଦାବି କରିଛନ୍ତି । ଷ୍ଟେଟ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ଓଡିଶାର କଟକ ଜିଲ୍ଲା ଶାଖା ଉପଦେଷ୍ଟା ଅଭୟ ଜେନାଙ୍କ ଅଧ୍ୟକ୍ଷତାରେ ନେମାଳ ଥାନା ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଏସୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଏସୟୁଜେ କଟକ ଜିଲ୍ଲା ସଭାପତି ଅଖିଳେଶ ମହାନ୍ତି, ସାଧାରଣ ସଂପାଦକ ରମେଶ ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ, ବରିଷ୍ଠ ସାମ୍ବାଦିକ ବଲ୍ଲଭ ଚରଣ ପଲେଇ, ଓଟିଭି ସାଲେପୁର ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଅଜିତ ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଅସିତ ସାମଲ, ଆଶୀଷ ପଣ୍ଡା, ସୁରେନ୍ଦ୍ର ରାଉତ, ବିନୟ ଦାଶ, ଦୀପକ ଦାସ, ବିନୟ ଦାସ, କ୍ଷମାନିଧି ପୂଜାରୀ, କିରଣଶଙ୍କର ନାୟକ, ଗୋବିନ୍ଦ ଦାସ, ମୀନକେତନ ଦାସ, ମାଧବାନନ୍ଦ ପାତ୍ର, ଅକ୍ଷୟ ଦାଶ, ମହେଶ୍ୱର ବେହେରା, ତୁଷାର ଜ୍ୟୋତି ନାୟକ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କିଭଳି ଅସୁରକ୍ଷିତ ସେ ନେଇ କ୍ଷୋଭ ପ୍ରକାଶ କରିଥିଲେ ।
ଅପରପକ୍ଷେ ସାମ୍ବାଦିକଙ୍କ ପକ୍ଷରୁ ଥାନା ଘେରାଉ ସୂଚନା ପାଇବା ପରେ ଜିଲ୍ଲା ପୋଲିସର ନିର୍ଦ୍ଦେଶକ୍ରମେ ନେମାଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଆଡିସିନାଲ ଏସ୍ପି କଟକ, ଏସଡ଼ିପିଓ ସାଲେପୁର ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ସାମ୍ବାଦିକ ସଂଗଠନର ନେତାମାନଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା କରିଥିଲେ । ତେବେ ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ଏବଂ ସାମ୍ବାଦିକ ରତ୍ନାକର ବାରିକଙ୍କ ବିରୁଦ୍ଧରେ ରୁଜ୍ଜୁ ହୋଇଥିବା ମିଥ୍ୟା ମାମଲାର ନିରପେକ୍ଷ ତଦନ୍ତ ହେବ ବୋଲି ଅଡିସିନାଲ ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସାଲେପୁରରୁ ଅଭୟ ଜେନା