ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଓଡିଶା ବନ୍ଦ । ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରାସ୍ତାକୁ ଓହ୍ଳାଇଛି ନବନିର୍ମାଣ କୃଷକ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ପିକେଟିଂ କରି ରାସ୍ତାରୋକ୍ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଡାକରା ଦିଆଯାଇଛି । ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ । ବନ୍ଦ ପାଳନ ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଛି ସଂଗଠନ । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ ।
ପ୍ରସ୍ତାବିତ ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ସକାଳ ସାଢେ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ ଓ ସ୍ୱତନ୍ତ୍ର ସଚିବମାନଙ୍କୁ ଏ ସଂକ୍ରାନ୍ତରେ ଚିଠି କରାଯାଇଥିଲା । ଏହା ସହ ଲୋକସେବା ଭବନର ମୁଖ୍ୟ ଫାଟକ ସକାଳ ୧୦ଟା ୧୫ରେ ବନ୍ଦ କରାଯାଇଛି । ଯିବା-ଆସିବା ପଛ ଦ୍ୱାରରେ ନିୟନ୍ତ୍ରଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ସମୟରେ ଲୋକସେବା ଭବନରେ ପରିଚୟ ପତ୍ର ଓ ପାସ୍ କଡ଼ାକଡ଼ି ଭାବେ ଯାଂଚ କରାଯିବ । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସମେତ କିଛି ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୁଇସାଇଡ୍ ନୋଟରେ ରୁଚିକା ତିନି ଜଣ ସିନିୟର ନିର୍ଯାତନା ଦେଉଥିବା କଥା ଲେଖିଥିଲେ । ତେବେ ପ୍ରାଥମିକ ତଦନ୍ତ ପରେ ରାଗିଂ ସଂପର୍କରେ କୌଣସି ସୁରାକ୍ ମିଳିନଥିବା କହିଥିଲା କମିସନରେଟ୍ ପୋଲିସ ।