ହିତାହିତ ଜ୍ଞାନ ଭୁଲିଗଲା ପତ୍ନୀହନ୍ତା ସ୍ବାମୀ… ସ୍ତ୍ରୀର କଟା ମୁଣ୍ଡ ଧରି ଚାଲିଲା ୧୨ କିମି

ଢେଙ୍କାନାଳ: ପତ୍ନୀର ଚରିତ୍ରକୁ ସନ୍ଦେହ କରି ହିତାହିତ ଜ୍ଞାନ ଭୁଲିଗଲା ସ୍ବାମୀ । ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ ଶରୀରରୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଏବଂ ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା । ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ ଅଟକାଇ ପୋଲିସ୍ ଅଟକ ରଖିବା ସହ କଟାମୁଣ୍ଡ ଜବତ କରିଛି । ଏପରି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ।
ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀଙ୍କର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି । ସୂଚନା ଅନୁଯାୟୀ, ଉଭୟଙ୍କର ୨ ପୁଅ ଥିବାବେଳେ ସେମାନେ ବାହାରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆର୍ମିରେ ଚାକିରି କରିଥିବା ବେଳେ ଆଉ ଜଣେ କମ୍ପାନୀରେ ଚାକିରି କରିଥିବା ସୂଚନା ମିଳିଛି ।
ସ୍ୱାମୀ ସ୍ତ୍ରୀ ଘରେ ରହୁଥିବାବେଳେ ସଚଳାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଭୟଙ୍କର ରୂପ ନେଇଥିଲା । ରାତି ପ୍ରାୟ ୩ଟା ବେଳେ ନାକଫୋଡି ଏକ କଟୁରୀରେ ସଚଳାଙ୍କ ବେକକୁ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସଚଳାଙ୍କ ଜୀବନ ଚାଲି ଯାଇଥିଲା । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବି ନାକଫୋଡ଼ିଙ୍କ ରାଗ ଶାନ୍ତ ହୋଇ ନ ଥିଲା । ସେ କଟୁରୀ ସାହାଯ୍ୟରେ ପତ୍ନୀର ମୁଣ୍ଡକୁ ଶରୀରରୁ ଅଲଗା କରି ଢେଙ୍କାନାଳ ଥାନା ଅଭିମୁଖେ ଯାଉଥିବା ବେଳେ ବାଟରେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ଏହି ପତ୍ନୀହନ୍ତାର ବାଟ ଓଗାଳିଥିଲେ । ଖବର ପାଇ ପୋଲିସ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ କଟା ମୁଣ୍ଡ ଓ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା କଟୁରି ଜବତ କରିଛି । ଏହା ସହ ହତ୍ୟାକାଣ୍ଡ ଘଟିଥିବା ଚନ୍ଦ୍ରଶେଖରପୁର ଗ୍ରାମରେ ପୋଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକ