ଦୀପ ତଳ ଅନ୍ଧାର ଭଳି ପ୍ରଶାସନର ଦୃଷ୍ଟି ଆଢୁଆଳରେ ବୋରିଗୁମ୍ମା ସଦର ମହକୁମା ବିଦ୍ୟାଳୟ

ସରକାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ସହ ପିଲାମାନେ କିଭଳି ସ୍କୁଲ ମୁହାଁ ହେବେ ତାକୁ ଦୃଷ୍ଟିର ରଖି ସ୍ମାର୍ଟ କ୍ଲାସଠାରୁ ଆରମ୍ଭ କରି ସ୍ମାର୍ଟ ବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି । ଏ ନେଇ ବିଦ୍ୟାଳୟର ରୂପାନ୍ତରିକରଣ ପ୍ରକ୍ରିୟା ମଧ୍ୟ ଜାରି ରଖଛନ୍ତି । ହେଲେ ବୋରିଗୁମ୍ମା ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାସ୍ତବ ଚିତ୍ର କିଛି ଅଲଗା । ଏହି ବିଦ୍ୟାଳୟକୁ ଦେଖିଲେ ଲାଗୁଛି ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇବାରେ ଫେଲ ମାରିଛି ଶିକ୍ଷା ବିଭାଗ । ଦୀପ ତଳ ଅନ୍ଧାର ଭଳି ପ୍ରଶାସନର ଦୃଷ୍ଟି ଆଢୁଆଳରେ ବୋରିଗୁମ୍ମା ସଦର ମହକୁମା ବିଦ୍ୟାଳୟ ।
1954 ମସିହାରେ ସ୍ଥାପିତ ହୋଇଥିଲା ବୋରିଗୁମ୍ମା ସଦର ମହକୁମାରେ ଅବସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ମୋଟ 9 ଟି ଶ୍ରେଣୀଗୃହ ରହିଛି । ବିଦ୍ୟାଳୟରେ ମୋଟ 664 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ତେବେ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଆଜବେଷ୍ଟ ଅନେକ ସ୍ଥାନରେ ଫାଟି ଆଁ କରିଥିବାବେଳେ ଶ୍ରେଣୀଗୃହର ଝରକାରେ ଉଇ ଲାଗି ସବୁ ନଷ୍ଟ ହୋଇଯାଇଛି । ଫଳରେ ଅସରାଏ ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଏ । ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୁଏ ।
ଏହି ବିଦ୍ୟାଳୟଟି 1954 ମସିହାରୁ ସ୍ଥାପିତ ହୋଇଥିବା ବେଳେ ଈତି ମଧ୍ୟରେ ବିଦ୍ୟାଳୟକୁ 68 ବର୍ଷ ବିତିଗଲାଣି । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଡାଇନିଂ ହଲର ବ୍ୟବସ୍ଥା ମଧ୍ୟ ନାହିଁ । ଫଳରେ ଖରା, ବର୍ଷା ଓ ଶୀତରେ ପିଲା ଖୋଲା ଆକାଶ ତଳେ ଖାଇବାକୁ ବାଧ୍ୟ ହୁଅନ୍ତି । ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଫଳ ଘର ଶୂନ୍ୟ । ଅପରପକ୍ଷେ ଏ ନେଇ ଆମ ପ୍ରତିନିଧି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସର୍ବଶିକ୍ଷା ଗ୍ରାଣ୍ଡ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ଆମ ହସ୍ତରେ ତ କିଛି ନାହିଁ, ତଥାପି ବଦ୍ୟାଳୟ ପରିଚାଳନା କମିଟି ସହିତ ଆଲୋଚନା କରି କୌଣସି ପ୍ରକାରେ ଆର୍ଥିକ ସହାୟତା କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ବୋରିଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନେକ ସମସ୍ୟାକୁ ନେଇ ଗତି କରୁଛି । ବର୍ଷା ଦିନ ଯଦି ବାରମ୍ବାର ସ୍କୁଲ ଛୁଟି ହୁଏ ତେବେ ପିଲାମାନଙ୍କର ଭବିଷ୍ୟତ କିପରି ଗଢାଯିବ ତାକୁ ନେଇ ଏକ ବଡ ପ୍ରଶ୍ନ ଉଠୁଛି l ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରିତ ହେବା ପରେ ପ୍ରଶାସନ ଏ ନେଇ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।
ବୋରିଗୁମ୍ମାରୁ ବିଘ୍ନେଶ୍ବର ଷଡଙ୍ଗୀ