ନାମଫଳକୁ ନେଇ ରାଜନୀତି କରାନଯାଉ: ବିଧାୟିକା… କୋଦଳାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର

ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ସହ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦେଶ୍ୟରେ କୋଦଳା ସହରର ଚାରି ଛକଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ଦୀର୍ଘ ଦିନରୁ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ କରିବା ନେଇ ସହରବାସୀ ଦାବି କରିଆସୁଥିବା ବେଳେ ଆଜି ଏହା ସଫଳ ହୋଇଛି । ଏହି ଅବସରରେ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିର୍ଦ୍ଦେଶକ ସତ୍ୟବ୍ରତ ଭୋଇ ସହାୟତା କେନ୍ଦ୍ରକୁ ଉଦଘାଟନ କରିବା ସହ ବିଧାୟିକାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ, ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ବିଧାୟକଙ୍କ ପାଣ୍ଠିରୁ ସାତଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ନେଇ ସ୍ଥିର ହୋଇଥିବା କହିଛନ୍ତି ବିଧାୟିକା । ସେପଟେ ଏହି ଉଦଘାଟନ କାର୍ଯ୍ୟକ୍ରମ ଅବସରରେ ସ୍ଥାନୀୟ ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀ, କର୍ମଚାରୀ ଉପସ୍ଥିତ ରହିଥିଲେ ।
ଅପରପକ୍ଷେ କିଛିଦିନ ପୂର୍ବରୁ ନାମଫଳକକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ସରଗରମ ହୋଇଥିଲା । ଏ ନେଇ ମୁହଁ ଖୋଲିଛନ୍ତି ବିଧାୟିକା ଲତିକା ପ୍ରଧାନ । ସେ କହିଛନ୍ତି ଯେ, “ମୁଁ ଫଳକରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରେ । ଓଡିଶାର ମାନନୀୟ ଆଦରଣୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ବିକାଶ ଧାରାକୁ ଆଗେଇ ନେବାକୁ ପ୍ରୟାସ ଜାରି ରଖିଛି । ମୁଁ ବିଧାୟିକା ହେବାପରେ କୋଦଳାରେ ଦେଖିଛି ଯେ, ବର୍ଷା, ଖରା ଓ କାକରରେ ଦୁଇ ତିନିଜଣ ପୋଲିସ ଖୋଲା ଆକାଶ ତଳେ ଠିଆ ହୋଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ସେହି ଦିନଠାରୁ ହିଁ ସେଠାରେ ଏକ ପୋଲିସ ସହାୟତା କେନ୍ଦ୍ର ନିର୍ମାଣ କରିବା ପାଇଁ ସ୍ଥିର କରି କାର୍ଯ୍ୟ ଆରମ୍ଭ କରିଥିଲି । ଯାହା ଆଜି ସଫଳତାର ସହିତ ଲୋକାର୍ପିତ ହୋଇଛି ।”
ଏହା ସହ ବିଧାୟିକା ଲୋକଙ୍କ ସୁବିଧା ତଥା ପୋଲିସର କାର୍ଯ୍ୟକୁ ଆହୁରି ସରଳୀକରଣ କରିବା ପାଇଁ କୋଦଳାର ସମସ୍ତ ଛକରେ ସିସିଟିଭି ଲଗାଇବା ପାଇଁ ନିଜସ୍ୱ ପାଣ୍ଠିରୁ ସାତ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ପ୍ରଦାନ କରିଛନ୍ତି । ପୋଲିସ ସହାୟତା କେନ୍ଦ୍ର ପୋଲିସ ବିଭାଗର । ଏଣୁ ଏଥିରେ କାହାକୁ ନିମନ୍ତ୍ରଣ କରାଯିବ ଓ କାହା ନାମ ଲେଖାଯିବା ତାହା ସେହି ବିଭାଗ ସ୍ଥିର କରେ, ଏହାକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ବିଧାୟିକା ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ