ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା

କୋରାପୁଟ ଗସ୍ତରେ ରାଜ୍ୟ ସଂଖ୍ୟା ଲଘୁ ରାଷ୍ଟ୍ରମନ୍ତ୍ରୀ ଜନ ବର୍ଲା । ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଯୋଜନା ସଂଖ୍ୟା ଲଘୁ ଲୋକଙ୍କ ନିକଟରେ ପହଁଞ୍ଚୁଛି ନା ନାହିଁ ସେ ନେଇ ସମୀକ୍ଷା କରିଛନ୍ତି । କୋଟପାଡ଼ ନିର୍ବାଚନ ମଣ୍ଡଳୀର ବିଜାପୁରରେ ଶ୍ରୀ ବର୍ଲାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିଥିଲେ ବିଜେପିର କାର୍ଯ୍ୟକର୍ତ୍ତା । ସମୀକ୍ଷା ପରେ ସେ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ । ହିତାଧିକାରୀଙ୍କ ପାଖକୁ କେନ୍ଦ୍ର ସରକାରଙ୍କ ଯୋଜନା ନ ପହଞ୍ଚିବା ଲାଗି କେବଳ ରାଜ୍ୟ ସରକାର ଦାୟୀ ବୋଲି କହିବା ସହ କେନ୍ଦ୍ରରୁ ସଂଖ୍ୟା ଲଘୁଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, କିଷାନ ସମ୍ମାନ ନିଧି ଯୋଜନା, କିଷାନ ବୀମା ଯଜନା ଭଳି ଅନେକ ଯୋଜନାରୁ ସଂଖ୍ୟା ଲଘୁ ବଞ୍ଚିତ ରହୁଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଯେପରି ରଙ୍ଗ ଦେଖୁ ନାହାନ୍ତି ରାଜ୍ୟ ସରକାର ମଧ୍ୟ ପାର୍ଟିର ରଙ୍ଗ ନ ଦେଖି କେନ୍ଦ୍ରରୁ ଯେଉଁ ଯେଉଁ ଯୋଜନା ଆସୁଛି ତାକୁ ସମସ୍ତ ହିତାଧିକାରୀଙ୍କ ନିକଟକୁ ପହଞ୍ଚାଇବା ଦରକାର ବୋଲି କହିଥିଲେ । ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ପରେ ସଂଖ୍ୟା ଲଘୁ ଲୋକେ ବିଶେଷ ଉପକୃତ ହୋଇପାରିବେ ବୋଲି କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ବୋରିଗୁମ୍ମାରୁ ବିଘ୍ନେଶ୍ୱର ଷଡଙ୍ଗୀ