ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ । ମୋଟ ୭୫୨ ଚୁଲିରୁ ୨୦ଟି ଭାଙ୍ଗିଦେଇଥିବା ସୂଚନା । ତେବେ କୋଠ ଭୋଗ ଚୂଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢା ବାହାରିବାରେ ସମସ୍ୟା ହେବନାହିଁ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଚୁଲି ଗୁଡିକର ମରାମତି ଚାଲିଛି । ଆଡପ ଅବଢା ପାଇଁ ୩ଦିନ ପୂର୍ବରୁ ତିଆରି ହୋଇଥିଲା ଚୁଲି । ଆସନ୍ତାକାଲି ଆଡପ ଅବଢା ପାଇଁ ଲକ୍ଷାଧିକ ଭକ୍ତ ଅନେଇ ରହିଛନ୍ତି । ତେଣୁ ଚୁଲିଗୁଡିକ କିପରି ଯଥାଶୀଘ୍ର ମରାମତି ହେଇପାରିବ ସେ ନେଇ ତତ୍ପରତା ପ୍ରକାଶ ପାଇଛି । ତେବେ କେଉଁ କାରଣରୁ ଦୁର୍ବୃତ୍ତ ଚୁଲି ଭାଙ୍ଗିଲେ, ସେ ନେଇ ତଦନ୍ତ ଚାଲିଛି ।
କେବଳ ବରାଦି ଅବଢା ପାଇଁ ରହିଥିବା ଚୁଲିକୁ ଦୁର୍ବୃତ୍ତ ଭାଙ୍ଗିଥିବା ଜଣାପଡିଛି । ତେବେ ଆଡପ ଅବଢା ବାହାରିବା ପାଇଁ ୧୪୦ଟି ଚୁଲି ଥିବା ଜଣାପଡିଛି । ବାକି ଚୁଲିରେ ବରାଦି ଅବଢା ପ୍ରସ୍ତୁତ କରାଯାଇଥାଏ । ଚୁଲିଗୁଡିକ ମାଟି ବାଲି ଓ ଗୁଡରେ ପ୍ରସ୍ତୁତ ହୋଇଥାଏ । ତେଣୁ ମରାମତି କରିବାକୁ ମାତ୍ର ଦୁଇ ଦିନ ସମୟ ଲାଗିଥାଏ ।
ଅପରପକ୍ଷେ ଚୁଲିଗୁଡିକୁ କେହି ହାତରେ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଥିବାବେଳେ କେହି ସେବାୟତ ଏହାକୁ ଭାଙ୍ଗିଥିବା ଅନୁମାନ କରାଯାଉଛି ।
ରଥଯାତ୍ରା ପାଇଁ ଶ୍ରୀମନ୍ଦିରଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ଶରଧା ବାଲିରେ ରଥ ଉପରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ୍ ଜଗନ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା ।