ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବାବେଳେ ଅଘଟଣ, ଅକାଳେ ଚାଲିଗଲା କର୍ମଚାରୀଙ୍କ ଜୀବନ

ବିଦ୍ୟୁତ ଷ୍ଟ୍ରକଚରରେ ଯନ୍ତ୍ରାଂଶ ମରାମତି କରୁଥିବା ବେଳେ ପୁଣି ଜଣେ କର୍ମଚାରୀଙ୍କ ମୃତ୍ୟୁ । ବିନା ସେଫଟି ସରଞ୍ଜାମରେ କାମ କରୁଥିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା । ବିନା ସେଫଟି ସରଞ୍ଜାମରେ କର୍ମଚାରୀଙ୍କୁ ଖୁଣ୍ଟି ଉପରେ ଚଢିବାକୁ କିଏ ଦେଲା ଅନୁମତି । କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟି କିଏ ।
ହିନ୍ଦୋଳ ଏନ.ଏ.ସି ଅନ୍ତର୍ଗତ ଚରଣପୁର ସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ଏକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କର ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାଜମୋହନପୁର ଗ୍ରାମର ପଠାଣି ସାହୁଙ୍କର ଦ୍ୱିତୀୟ ପୁତ୍ର ଶୁକାନ୍ତ କୁମାର ସାହୁ । ଶନିବାର ସକାଳେ ଚରଣପୁର ସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶୁକାନ୍ତ ମେନ ଲାଇନ କାଟି ତାକୁ ସଜାଡ଼ିବା ପାଇଁ ଏକାକୀ ଖୁଣ୍ଟ ଉପରକୁ ଚଢିଥିଲେ । ତେବେ ହଠାତ୍ ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଅପରପକ୍ଷେ ବିନା ସେଫଟି ସରଞ୍ଜାମରେ କାର୍ଯ୍ୟ କରୁଥିବା ସମୟରେ ଶୁକାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା । ଜଣେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ସୁରକ୍ଷା ସାମଗ୍ରୀ ଯୋଗାଇବା ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିବା ସହିତ ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଜନସାଧାରଣ । ଏ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଖବର ପାଇ ଉପଖଣ୍ଡ ପ୍ରଶାସନୀକ ଅଧିକାରୀ, ହିନ୍ଦୋଳ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟ ଜନସାଧାରଣ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ଦାୟୀ କରି କ୍ଷତି ପୂରଣ ଦାବିରେ ହିନ୍ଦୋଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତlକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ଫଳରେ ଯାନବାହନ ଚଳା ଚଳ ବାଧା ପ୍ରାପ୍ତ ହୋଇଥିଲା । ଅପରପକ୍ଷେ ବହୁ ବିଳମ୍ବରେ ବିଭାଗୀୟ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚିବାରୁ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଦୀର୍ଘ ଦଶବର୍ଷ ହେବ ଶୁକାନ୍ତ ବିଦ୍ୟୁତ ବିଭାଗରେ ଜଣେ ବୈଷୟିକ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ କାର୍ଯ୍ୟ କରିବା ସମୟରେ ଆବଶ୍ୟକ ବୈଦ୍ୟୁତିକ ସୁରକ୍ଷା ସାମଗ୍ରୀ ଦିଆଯାଉ ନଥିବାରୁ ଆଜି ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ । ଏ ନେଇ ସ୍ଥାନୀୟବାସୀ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।
ଏହି ଘଟଣାକୁ ନେଇ ହିନ୍ଦୋଳ ଏନଏସି ସମେତ ବହୁ ଅଞ୍ଚଳକୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯାଇଛି । ବିଦ୍ୟୁତ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ଓ ଉପଖଣ୍ଡ ପ୍ରଶାସନୀଙ୍କ ଅଧିକାରୀଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତି ପୂରଣ ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରି ପ୍ରଦାନ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଗୋପବନ୍ଧୁ ବାରିକଙ୍କ ସହ ହିନ୍ଦୋଳରୁ ସୁଜିତ କୁମାର ବେହେରା