ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ହୁଲୁସ୍ତୁଲୁ ହେବ ଗୃହ

ଆଜିଠୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଏଥର ବିଭିନ୍ନ ପ୍ରସଙ୍ଗ ବାବଦକୁ ନେଇ ଗୃହରେ ଚର୍ଚ୍ଚା ହେବ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେଉଛି । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ପୂର୍ବରୁ କରୋନା ପାଇଁ ୫ ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ ।
ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମଥର ଗୃହକାର୍ଯ୍ୟ ପରିଚାଳନ କରୁଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସବୁ ସ୍ତରରେ ଦୁର୍ନୀତି ହେଉଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଧାନର ଅଭାବି ବିକ୍ରି, ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ବେଲ୍ ଆଦି ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ । ଅନ୍ୟପଟେ ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି ।