ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ

ଆନ୍ତର୍ଜାତିକ ବଜ୍ରପାତ ସୁରକ୍ଷା ସପ୍ତାହ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବିଭିନ୍ନ ପ୍ରଚାର, ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବଜ୍ରପାତ ସୁରକ୍ଷା ଶୀର୍ଷକ ଇଣ୍ଟର-ସ୍କୁଲ କୁଇଜ଼, ଚିତ୍ରାଙ୍କନ, ବକୃତା ଏବଂ ଅନେକ ସଚେତନତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ମିସ୍ ଅନନ୍ୟା ପଟନାୟକ ଏବଂ ଅନ୍ୟ କର୍ମକର୍ତା ସଂଯୋଜନା କରିଥିଲେ I ଡ଼ ଅଵିଦ ଅଲି ଖାନ, ନିର୍ଦ୍ଦେଶକ ୟୁ.ସି.ଇ.ଏଚ. ଏହି ପ୍ରୋଗ୍ରାମକୁ ପରିଚାଳନା କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପି. ଜି. କାଉନସିଲ ଚେୟାରମ୍ୟାନ ଡ଼. ଦୁର୍ଗା ଶଙ୍କର ପଟନାୟକ, ଉପ କୁଳପତି ଡ଼ ଅଭୟ କୁମାର ନାୟକ, ସି.ଏଫ. ଓ. ଗୌତମ ପ୍ରଧାନ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ କୁଳପତି ପ୍ରଫେସର ଆଚାର୍ଯ୍ୟ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ବୃନ୍ଦ ଏବଂ ଅନ୍ୟମାନଙ୍କୁ ସଚେତନ କରାଇଥିଲେ I ପ୍ରାକୃତିକ ବିପର୍ଯୟକୁ ଅଟକାଇବା ମନୁଷ୍ୟ ପାଇଁ ସମ୍ଭବ ନଥିଲେ ମଧ୍ୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରି ଏଥିରୁ ନିଶ୍ଚିତ ଭାବେ ରକ୍ଷା ପାଇପାରିବେ ବୋଲି ସେ ମତ ରଖିଥିଲେ I
ଗତ ଛଅ ବର୍ଷ ଭିତରେ ଓଡିଶା, ଝାଡଖଣ୍ଡ, ୱେଷ୍ଟ ବେଙ୍ଗଲ, ଆସାମ, ନର୍ଥ ଇଷ୍ଟ ଭଳି ଅଞ୍ଚଳକୁ ଅଧିକ ବଜ୍ରପାତ ଅଂଚଳ ଭାବେ ଘୋଷିତ କରାଯାଇଛି ବୋଲି ପାଣିପାଗ ବିଭାଗ ମୁଖ୍ୟ ଡ଼ ହାବିବୁର ରହମାନ ବିଶ୍ୱାସ ମତ ପ୍ରକାଶ କରିଥିଲେ । ବଜ୍ରପାତ ପୂର୍ବରୁ ଆଗୁଆ ସୂଚନା ପାଇଁ ସିଙ୍ଗାପୁର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ କରାଯାଇଥିବା ଟେକ୍ନୋଲୋଜି ଅତିଶୀଘ୍ର ଭାରତ ମଧ୍ୟ ବ୍ୟବହାର କରି ବଜ୍ରପାତ କାରଣରୁ ଘଟୁଥିବା ଦୁର୍ଘଟଣାରୁ ରକ୍ଷା ପାଇ ପାରିବ ବୋଲି ବୈଜ୍ଞାନିକ ଡ଼ ଆଶୁତୋଷ ରଥ ଜଣାଇଥିବା ବେଳେ ଡ଼ ଦୁର୍ଗା ଶଙ୍କର ପଟନାୟକ କହିଥିଲେ ଯେ, ଆମେ ଘରେ କେବଳ ଦୁଇଶହ ଭୋଲ୍ଟ ବ୍ୟବହାର କରୁ କିନ୍ତୁ ବଜ୍ରପାତର ଭୋଲ୍ଟ ତିନି ମିଲ୍ଲିୟନ ଏବଂ ଏହା ଅତି ଦ୍ରୁତଗତି ମାଧ୍ୟମରେ ଧନ ଜୀବନ ନଷ୍ଟ କରିଥାଏ I