ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍…

ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅପିଲ କରିଛନ୍ତି । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି । ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ତାଙ୍କ ନାଁ ଘୋଷଣା ହେବାପରେ ଓଡ଼ିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଟ୍ୱିଟ୍ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଆମ ରାଜ୍ୟ ପାଇଁ ଗର୍ବର ବିଷୟ । ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଓ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀ ପାଇଁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ, ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର କୁସୁମୀ ବ୍ଲକର ଏକ ଗାଁର ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ବହୁ ସଂଗ୍ରାମ କରି ଜୀବନ ପରୀକ୍ଷାରେ ଉତୀର୍ଣ୍ଣ ପରେ ଉତୀର୍ଣ୍ଣ ହୋଇଛନ୍ତି । ତେଣୁ ତାଙ୍କୁ ଆଜି ଯେଉଁ ସୁଯୋଗ ମିଳିଛି, ତାହା କଳ୍ପନା ବାହାରେ । ତାଙ୍କୁ ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ପଦରେ ବସାଇବାର ମୋଦିଙ୍କ ଏହି ନିଷ୍ପତ୍ତି ସାଧାରଣ ପରିବାରର ଉତଥାନ କଥାର ବାର୍ତ୍ତା ଦେଉଛି ।