ବାଲି ହେଉଛି ଏହି ବ୍ୟକ୍ତିଙ୍କର ଦୈନନ୍ଦିନ ଖାଦ୍ୟ…

ବାଲି ଖାଇ ବିତିଲାଣି ଅଧା ବୟସ । ଚର୍ଚ୍ଚାରେ ୬୮ ବର୍ଷୀୟ ଉତ୍ତରପ୍ରଦେଶର ହରିଲାଲ । ହରିଲାଲଙ୍କ ଖାଦ୍ୟକୁ ନେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସାଧାରଣତଃ ଆମେ ଦୈନନ୍ଦିନ ଜୀବନରେ ଫଳ ଜାତୀୟ, ଶସ୍ୟ ଜାତୀୟ କିମ୍ବା ତନ୍ତୁ ଜାତୀୟ ଖାଦ୍ୟ ଖାଇଥାଉ । ହେଲେ ହରିଲାଲଙ୍କ ଖାଦ୍ୟ କିନ୍ତୁ ଭିନ୍ନ । ସେ ଖାଆନ୍ତି ମୁଠାମୁଠା ବାଲି । ଏବେ ସେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ ।

ଅଦ୍ଭୁତ ଘଟଣା ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଏ ଜଗତ । ଆମ ଚାରିପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ନିହାତି କଷ୍ଟକର । ଏହି ବ୍ୟକ୍ତି ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହରିଲାଲ ସକସେନା । ଯିଏକି ଦୀର୍ଘ ୩୫ରୁ ୪୦ ବର୍ଷ ଧରି ବାଲି ଖାଇ ଆସୁଛନ୍ତି । ଆଉ ଏଥିପାଇଂ ତାଙ୍କୁ କୌଣସି ସମସ୍ୟା ମଧ୍ୟ ହୁଏ ନାହିଁ । ବରଂ ବାଲି ନ ଖାଇଲେ ସେ ଅସହଜ ମନେ କରନ୍ତି । ତେବେ ବାଲି ଖାଇବା ଦ୍ବାରା ତାଙ୍କୁ ବହୁତ ଖୁସି ମିଳିଥାଏ ବୋଲି ସେ କହିଛନ୍ତି ।

ନିଜ ଅଞ୍ଚଳରୁ ଆସି ଗତ ୧୦ରୁ ୧୨ ବର୍ଷ ଧରି ହରିଲାଲ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଲଉଡିଗା ପଞ୍ଚାୟତ କୀର୍ତ୍ତିପୁର ଗ୍ରାମରେ ଏକ କିଆଫୁଲ ଭାଟିରେ ଶ୍ରମିକ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଖାଦ୍ୟ ଖାଇବା ପରେ ହେଉ କି ପୂର୍ବରୁ ସେ ମୁଠାଏ ଲେଖାଏଁ ବାଲି ଖାଇଲେ ହିଁ ତାଙ୍କୁ ଆତ୍ମତୃପ୍ତି ମିଳିଥାଏ । ଏପରିକି ପୂର୍ବରୁ ହରିଲାଲ ନିଜ ଗ୍ରାମରେ ଗଙ୍ଗା ନଦୀକୂଳ ବାଲି ଖାଉଥିବାବେଳେ ଏଠାରେ ସମୁଦ୍ରର ବାଲି ଖାଉଥିବା କହିଛନ୍ତି ।
ଏପରିକି ବର୍ଷା ପୂର୍ବରୁ ସେ ବାଲି ଖାଇବା ପାଇଁ ଘରେ ବସ୍ତା ବସ୍ତା ବାଲି ଆଣି ସଂଗ୍ରହ କରି ରଖିଥାନ୍ତି । ପୂର୍ବରୁ ଆହୁରି ଅଧିକ ପରିମାଣର ବାଲି ଖାଇ ଆସୁଥିଲେ । ହେଲେ ବର୍ତ୍ତମାନ ତାହା ବହୁ ମାତ୍ରାରେ କମିଯାଇଛି ବୋଲି କୁହନ୍ତି ହରିଲାଲ । ଏଥିପାଇଁ ତାଙ୍କୁ କେବେ କୌଣସି ରୋଗ ହୋଇନାହିଁ ।
ସେପଟେ ହରିଲାଲଙ୍କୁ ଦୀର୍ଘ ୧୨ ବର୍ଷ ଧରି ଏପରି ବାଲି ଖାଉଥିବା ଦେଖି ଆସୁଛନ୍ତି ଅଞ୍ଚଳ ବାସିନ୍ଦା । ପ୍ରଥମେ ପ୍ରଥମେ ଗ୍ରାମବାସୀ ଏହାକୁ ଦେଖି ଏକ ପ୍ରକାର ତାଜୁବ ହୋଇପଡ଼ିଥିଲେ । ହେଲେ ନିଜେ ହରିଲାଲ ଦୈନିକ ବାଲି ଖାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ବାଲି ଆଣି ଦେଉଥିବା କହିଛନ୍ତି । ଦୀର୍ଘ ବର୍ଷ ଧରି ଏଭଳି ବାଲି ଖାଇ ତାଙ୍କ ଦିନ ବିତିଯାଉଛି । ତାଙ୍କ ଶରୀର ଗଠନ ପ୍ରଣାଳୀ ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିଯୋଗୁଁ ହରିଲାଲଙ୍କୁ ଡାକ୍ତର ଟିମ୍ ଅନୁଧ୍ୟାନ କରାଇବାର ଆବଶ୍ୟକତା ରହିଥିବା ଚର୍ଚ୍ଚା ହେଉଛି ।

ତାଙ୍କ କହିବା କଥା ହେଲା, କିଛି ବର୍ଷ ପୂର୍ବେ ଗାଁରେ ରାହୁଥିବାବେଳେ ତାଙ୍କ ଶରୀରରେ ପୀଡା ଅନୁଭବ କରୁଥିଲେ । ବହୁ ଉପଚାର ପରେ ବି କିଛି ଫରକ ପଡିନଥିଲା । ଜଣେ ବୃଦ୍ଧ ଲୋକଙ୍କ ପରାମର୍ଶ କ୍ରମେ ସେ ବାଲି ଖାଇବା ଆରମ୍ଭ କଲେ ଏବଂ ତାଙ୍କ ଦେହର ପୀଡା କମିଯାଇଥିଲା । ଆଉ ସେବେଠାରୁ ସେ ବାଲି ଖାଇବା ଅଭ୍ୟାସ କରିଥିଲେ । ତେବେ ଡାକ୍ତରଙ୍କ କହିବା କଥା ହେଲା ଏହା ଏକ ମାନସିକ ବିକାର । ଶୀଘ୍ର ଯଦି ସେ ଏଥିରୁ ନିବୃତ ନହୁଅନ୍ତି ତାହାହେଲେ ଭବିଷ୍ୟତରେ ଅନେକ ଜଟିଳ ରୋଗର ଶିକାର ହେବେ ।
ବ୍ରହ୍ମପୁରରୁ ନୀକୁଞ୍ଜ ବିହାରୀ ପଟ୍ଟନାୟକ