ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ: ଆଇଏମ୍ଡି ଡିଜି

ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଅନୁମାନଠାରୁ ଅଧିକ ବର୍ଷା ହେବ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ୍ ମାସରେ ସମଗ୍ର ଦେଶରେ ବର୍ଷା ସ୍ୱାଭାବିକ ରହିବ । ବିଶେଷତଃ ପଶ୍ଚିମ ଭାରତ, ଉତ୍ତର-ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଭାରତର ଉତ୍ତର ଭାଗରେ ସ୍ୱାଭାବିକ ଓ ସ୍ୱାଭିବକଠାରୁ ଅଧିକ ବର୍ଷା ହୋଇପାରେ । ତେବେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ସେହିପରି ତାମିଲନାଡ଼ୁ, କେରଳ ଓ କର୍ଣ୍ଣାଟକାର ଦକ୍ଷିଣ ଭାଗରେ ଜୁନ୍ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି । ୧୦୩ ପ୍ରତିଶତ ବର୍ଷା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଉ ଏହା ରାଜ୍ୟର ଚାଷୀଙ୍କ ପାଇଁ ଏକ ଖୁସି ଖବର।
ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି । ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷା ମଧ୍ୟ ହେଉଛି । ମଧ୍ୟ ଭାରତରେ ୧୦୬ ପ୍ରତିଶତ ବର୍ଷା ନେଇ ମଧ୍ୟ ଅନୁମାନ ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଦାରିତ ସମୟର ତିନିଦିନ ପୂର୍ବରୁ ରବିବାର କେରଳ ଛୁଇଁଛି । ତେବେ ଏହା କେବେ ଓଡ଼ିଶାରେ ପହଞ୍ଚିବ, ସେ ନେଇ କିଛି ପୂର୍ବାନୁମାନ କରାଯାଇନାହିଁ ବୋଲି ଆଇଏମ୍ଡି ଡିଜି କହିଛନ୍ତି।
ସେ କହିଛନ୍ତି, ମୌସୁମୀ ବାୟୁ ସାଧାରଣତଃ ଓଡ଼ିଶାରେ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ପ୍ରବେଶ କରିଥାଏ । ଏଯାବତ୍ ମୌସୁମୀ ବାୟୁ କେରଳର ସମସ୍ତ ଅଞ୍ଚଳରେ ପହଞ୍ଚି ସାରିଥିବା ବେଳେ କର୍ଣ୍ଣାଟକାର କିଛି ଅଞ୍ଚଳ ଓ ତାମିଲନାଡୁର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରି ସାରିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ ଓ ସିକିମ ମଧ୍ୟରେ ପ୍ରବେଶ କରିବ । ତେବେ ଜୁଲାଇ ମାସରେ ଓଡ଼ିଶାରେ କେତେ ବର୍ଷା ହେବ, ତା’ର ଆକଳନ ଜୁନ୍ ମାସ ଶେଷ ଆଡ଼କୁ କରାଯିବ । ସେହିପରି ଅଗଷ୍ଟ ମାସରେ କେତେ ବର୍ଷା ହେବ, ତା’ର ପୂର୍ବାନୁମାନ ଜୁଲାଇ ମାସ ଶେଷ ଆଡ଼କୁ କରାଯିବ ।