ଆମ ପାଇଁ ସ୍କୁଲ ଘର ମିଳିଲେ ଆମେ ଭଲରେ ପାଠ ପଢିପାରିବୁ

ପାଠ ପଢିବା ଲାଗି ଛାତ୍ରଛାତ୍ରୀ କରୁଛନ୍ତି କସରତ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଶିକ୍ଷକଙ୍କଠାରୁ ଆରମ୍ଭ କରି ଅଭିଭାବକ ସମସ୍ତଙ୍କର ଗୋଟିଏ ଚିନ୍ତା ପିଲା କେମିତି ପାଠ ପଢିବେ । ଏ ଚିନ୍ତା ଖାଲି ଆଜିର ନୁହେଁ । ଦୀର୍ଘ ୭ ବର୍ଷ ହେବ ଏହି ଚିନ୍ତାରେ ଅଛନ୍ତି ସମସ୍ତେ । କଟକ ଜିଲ୍ଲା ସାଲେପୁର ବ୍ଲକ ତରିତୋ ପଂଚାୟତ ମୁର୍କୁଣ୍ଡି ଗ୍ରାମରେ ଏଭଳି ଏକ ବିଦ୍ୟାଳୟ ରହିଛି, ଯାହା ଦୀର୍ଘ ୭ବର୍ଷ ହେଲା ଏକ ମନ୍ଦିର ବେଢାରେ ଚାଲିଛି । ତାହାପୁଣି ସାଲେପୁର ଶିକ୍ଷା ବିଭାଗର ଜ୍ଞାତସାରରେ । ବିଦ୍ୟାଳୟର ଘଣ୍ଟା ବଦଳରେ ବାଜୁଛି ମନ୍ଦିରର ଘଣ୍ଟ, ଘଣ୍ଟା, ପୂଜା ଓ ମନ୍ତ୍ର ଧ୍ନନି । ଏହାରି ଭିତରେ ଚାଲିଛି ପିଲାଙ୍କ ପାଠ ପଢ଼ା ।
ସରକାରଙ୍କ ସ୍ଲୋଗାନ ଅନୁଯାୟୀ “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ଏଠି ସମ୍ପୂର୍ଣ୍ଣ ବାଟବଣା ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଯେଉଁଠି ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ିବାକୁ ଘର ଖଣ୍ଡିଏ ଯୋଗାଇ ଦେଇ ପାରୁନାହାଁନ୍ତି ସରକାର । ଫଳରେ ବାଧ୍ୟ ହୋଇ ଦୀର୍ଘ ୭ ବର୍ଷ ହେଲା ମନ୍ଦିର ବେଢ଼ାରେ ଚାଲିଛି ପାଠ ପଢ଼ା । ତେବେ କିଭଳି ପଢିବେ ଆଉ ବଢିବେ ଛାତ୍ରଛାତ୍ରୀ ଏହା ନିଶ୍ଚୟ ଜନ ସାଧାରଣଙ୍କ ନିକଟରେ ଏକ ବଡ ପ୍ରଶ୍ନବାଚୀ ହୋଇଛି ।
କଟକ ଜିଲ୍ଲା ସାଲେପୁର ବ୍ଲକ ଶିକ୍ଷା ମଣ୍ଡଳ ଅଧିନସ୍ଥ ତରିତୋ ପଂଚାୟତର ମୁର୍କୁଣ୍ଡି ଦାଶସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟ ପରିଚାଳିତ ହେଉଛି ସ୍ଥାନୀୟ ବାଣେଶ୍ୱର ଶିବ ମନ୍ଦିରରେ । ସବୁ ଦିନ ସକାଳରୁ ୧୧ଟା ମଧ୍ୟରେ ମୁଖ୍ୟତଃ ପୂଜା ପାଠ ହୁଏ । ଆଉ ଏହା ମଧ୍ୟରେ ପ୍ରତ୍ୟହ ପାଠ ପଢା ଚାଲେ । ନିଜସ୍ଵ ସ୍କୁଲ ଘର ନଥିବାରୁ ଏହି ମନ୍ଦିର ବେଢ଼ାରେ ୨୦୧୫ ରୁ ୭ ବର୍ଷ ହେଲା ଚାଲିଛି ପାଠ ପଢ଼ା । ଏପରିକି ଏହି ମନ୍ଦିରରେ ବଡ଼ ବଡ଼ ଯାନିଯାତ୍ରା ପର୍ବରେ ବାଧ୍ୟ ହୋଇ ସ୍କୁଲ ବନ୍ଦକରିବାକୁ ପଡେ । ଏ ନେଇ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକମାନେ ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।
ଏହି ବିଦ୍ୟାଳୟଟି ଜଗତସିଂହପୁର ଜିଲ୍ଲା ଶିକ୍ଷା ମଣ୍ଡଳ ଅଧୀନରୁ ଆସି ଏବେ କଟକ ଜିଲ୍ଲା ସାଲେପୁର ଶିକ୍ଷା ମଣ୍ଡଳ ଅନ୍ତର୍ଭୁକ୍ତ ହୋଇଛି । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପ୍ରାୟ ୪୦ ଛାତ୍ରଛାତ୍ରୀ ଥିବାବେଳେ, ସେମାନଙ୍କୁ ପାଠ ପଢାଉଛନ୍ତି ୨ ଜଣ ଶିକ୍ଷକ । ଛାତ୍ରଛାତ୍ରୀ ମାନେ ଖୋଲାମେଲାରେ ପାଠ ପଢୁଥିବା ବେଳେ ଦୈବୀ ଦୁର୍ବିପାକ ସମୟରେ ଅବସ୍ଥା କହିଲେ ନ ସରେ । ତେବେ ଦେଖିବାକୁ ବାକି ରହିଲା ସରକାର ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସାଲେପୁରରୁ ଅଭୟ ଜେନା