ଶାସକ ଦଳର କାଉନସିଲରଙ୍କ ଅଜବ ଯୁକ୍ତି, ଅଧାରୁ ଅଟକିଲା ଏନ୍ଏସିର ଉନ୍ନତିକରଣ ବୈଠକ

କୋଦଳା- ଶାସନ କଳ ରହିଛି ବିଜେଡି ହାତରେ । ଏଣୁ ଚାରିଆଡେ ଦେଖିବାକୁ ମିଳୁଛି ବିଜେଡି କର୍ମୀଙ୍କ ଦାଦାଗିରି । ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସିରେ ଜଣେ ବିଜେଡି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି । ଏନ୍ଏସି ବୈଠକରେ ଜଣେ କାଉନସିଲରଙ୍କ ଭିତ୍ତିହୀନ ବିତଣ୍ଡା ଯୁକ୍ତି କାରଣରୁ ଅଧାର ବନ୍ଦ ହୋଇଥିଲା ବୈଠକ । ସୂଚନା ଅନୁସାରେ, ୭ ଦିନ ପୂର୍ବରୁ ବୁଧବାର ଏନ୍ଏସି ବୈଠକ ଅନୁଷ୍ଠିତ ହେବ ବୋଲି ନୋଟିସ କରାଯାଇଥିଲା । ତେବେ ଆୟୋଜିତ ଏହି ବୈଠକରେ ୧୧ ନମ୍ବର ୱାର୍ଡର ସ୍ୱାଧୀନ କାଉନସିଲର ତଥା ବର୍ତ୍ତମାନ ବିଜେଡିରେ ଯୋଗ ଦେଇଥିବା କାଉନସିଲର ଭଗବାନ ପାଢୀ ବୈଠକ ହୋଇପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିକି କାଉନସିଲର ମିଟିଂ କେବଳ ମଙ୍କସର ପ୍ରଥମ ସୋମବାର କିମ୍ବା ଶେଷ ଶନିବାର ଅନୁଷ୍ଠିତ ହେବ ବୋଲି ଦସ୍ତାବିଜରେ ଉଲ୍ଲେଖ ଥିବା କହି ବୈଠକ ବନ୍ଦ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ।
ଅପରପକ୍ଷେ ବୈଠକରେ ଉପସ୍ଥିତ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଉକ୍ତ ଗାଉଡ୍ ଲାଇନ୍ ୨୦୧୮ ମସିହାରୁ ବଦଳି ଯାଇଥିବା ଦର୍ଶାଇବା ସହ ଯାହା ଅଭିଯୋଗ ଅଛି ଲିଖିତ ଆକାରରେ ଦର୍ଶାଇବାକୁ ପରାମର୍ଶ ଦେଇଥିଲେ । ହେଲେ ୧୧ ନମ୍ବର ୱାର୍ଡର କାଉନସିଲର ଏ କଥା ଶୁଣିବାକୁ ନାରାଜ । ତାଙ୍କ ଏକ ଜିଦ୍ ଥିଲା ଯେ ମିଟିଂ ବନ୍ଦ ହେଉ । ଫଳରେ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିି ହୋଇଥିଲା । ଏପରିକି କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକଙ୍କ ବାରମ୍ବାର ଅନୁରୋଧ ସତ୍ୱେ କାଉନସିଲର ଭଗବାନ ପାଢୀଙ୍କ ଯୁକ୍ତି ସମାପ୍ତ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ବୈଠକକୁ ଅଧାର ସ୍ଥଗିତ କରାଯାଇଥିଲା ।
ତେବେ ଏହି ଅବସରରେ ହେବାକୁ ଥିବା ଏନ୍ଏସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇପାରିନଥିଲା । ଯାହାକୁ ନେଇ ଏନ୍ଏସିବାସୀ ଘଟଣାର ତୀବ୍ର ନିନ୍ଦା କରିବା ସହ ହୀନ ରାଜନୀତିକୁ ପ୍ରଶୟ ନ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପଟେ ଏନ୍ଏସି ମାନୁଆଲକୁ ଅନୁସରଣ ନ କରି ଶାସକ ଦଳର ଜଣେ କାଉନସିଲର ବୈଠକ କରାଇ ନଦେବା ଘଟଣାକୁ ନେଇ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରାଇ ଏହାର ସ୍ଥାୟୀ ପ୍ରତିକାର ପାଇଁ ନିବେଦନ କରିଛନ୍ତି ।
ବେଗୁନିଆପଡାରୁ ବାପୁନି କୁମାର ମାଲୁ