ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ସୁରକ୍ଷିତ ତ ? ପର୍ଯ୍ୟଟକଙ୍କୁ ଆକ୍ରମଣ କଲେ ନନ୍ଦନକାନନ ସଫାରୀ କର୍ମଚାରୀ…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ କର୍ମଚାରୀ । ସଫାରୀ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ଛତିଶଗଡ଼ରୁ ଆସିଥିବା ୨୬ ପର୍ଯ୍ୟଟକ । ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କିଛି ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ସଫାରୀ ବୁଲିବାକୁ ଟିକେଟ କାଟିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ବୁଲିବାକୁ ସଫାରୀ ଗାଡ଼ି ମିଳିନଥିଲା । ଯାହାକୁ ନେଇ ପର୍ଯ୍ୟଟକମାନେ ସଫାରୀ କାଉଣ୍ଟରରେ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ସଫାରୀ କର୍ମଚାରୀ ଉତ୍ତ୍ୟକ୍ତ ହେବା ସହ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ । ଏପରିକି ସ୍ଥାନୀୟ ଅଂଚଳର ପ୍ରାୟ ୫୦ ଜଣଙ୍କୁ ଡାକି ମିଳିତ ଭାବେ ସଫାରୀ କାଉଣ୍ଟର ନିକଟରେ ଥିବା ଷ୍ଟିଲ ରଡ ଓପାଡ଼ି ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ସେପଟେ ଘଟଣାକୁ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜୀବ କୁମାର, ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଫୁଟେଜ ଆଧାରରେ ରିପୋର୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନନ୍ଦନକାନନ ଓ ପୋଲିସର ତଦନ୍ତ ପରେ ଲାଇସେନ୍ସଧାରୀ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପର୍ଯ୍ୟଟକମାନେ ମଧ୍ୟ ଆଇନକୁ ହାତକୁ ନନେବା ପାଇଁ କୁହାଯାଇଛି । ଯଦି ଏପରି କୌଣସି ଘଟଣା ଘଟେ, ତେବେ ତୁରନ୍ତ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ କୁହାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ନନ୍ଦନକାନନ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଛତିଶଗଡ଼ର ୨୬ ଜଣ ପର୍ଯ୍ୟଟକ ସଫାରୀ ବସ୍ ଟିକେଟ୍ ଘର ପାଖ ଧାଡିରେ ଛିଡା ହୋଇଥିଲେ । ସେମାନଙ୍କ ପଛରେ ଧାଡିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍ ଟିକେଟ୍ କରି ବସରେ ବସିଥିଲେ । ସେମାନଙ୍କୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ବସରେ ବସିବା ପାଇଁ ଚଢିଥିଲେ । କିନ୍ତୁ ବସ୍ କର୍ମଚାରୀମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଇ ନଥିଲେ । ଅନ୍ୟପଟେ ସମୟ ହୋଇଥିବାରୁ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ବସ୍ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରସ୍ପରକୁ ଠେଲାପେଲା କରିଥିଲେ ।
ଆହତ ପର୍ଯ୍ୟଟକମାନେ ନନ୍ଦନକାନନ ଥାନାରେ ବସ୍ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିବାବେଳେ ବସ୍ କର୍ମଚାରୀମାନେ ମଧ୍ୟ ପର୍ଯ୍ୟଟକଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ପର୍ଯ୍ୟଟକଙ୍କୁ କାହିଁକି ମାଡ ମାରିଲେ ସଫାରୀ କର୍ମଚାରୀ । ସେମାନଙ୍କୁ ମାଡ଼ ମାରିବାକୁ ଅଧିକାର ଦେଲା କିଏ ? ଏହି ସମୟରେ କ’ଣ କରୁଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ ? ଗୁଣ୍ଡା ଓ ବଦମାସଙ୍କୁ ସାଙ୍ଗରେ ନେଇ କାହିଁକି ଆସିଥିଲେ ସଫାରୀ କର୍ମଚାରୀ ? ପର୍ଯ୍ୟଟକଙ୍କୁ ନେଇ ଚାଲିଛି ନନ୍ଦନକାନନ । ଆଉ ଯଦି ଏପରି ଆକ୍ରମଣ କରାଯାଏ, ତେବେ ନନ୍ଦନକାନନକୁ ପର୍ଯ୍ୟଟକ ଆସିବେ ତ ?
ପ୍ରତ୍ୟେକଦିନ ନନ୍ଦନକାନନକୁ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ କର୍ମଚାରୀଙ୍କ ଏପରି ଅମାନୁଷିକତା ଘଟଣା ପ୍ରଚାରିତ ହେବା ପରେ ପର୍ଯ୍ୟଟକମାନେ ଭୟଭୀତ ହୋଇ ଯାଇଛନ୍ତି । ଏପରିକି ନନ୍ଦନକାନନ ଯିବାକୁ ସେମାନେ ସୁରକ୍ଷିତ ମଣୁ ନାହାନ୍ତି ।