ଚିରନିଦ୍ରାରେ ପଦ୍ମଶ୍ରୀ ରଜତ କର, ରାଜ୍ୟବ୍ୟାପୀ ଶୋକ

ଚିର ନିଦ୍ରାରେ ପଦ୍ମଶ୍ରୀ ରଜତ କର । ଓଡ଼ିଆ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ଉପେନ୍ଦ୍ର ଭଞ୍ଜଙ୍କ କୃତୀ ଓ କୀର୍ତ୍ତିକୁ ନେଇ ଜୀବନବ୍ୟାପୀ ସାଧନା କରିଆସିଥିବା ପଦ୍ମଶ୍ରୀ ଡକ୍ଟର ରଜତ କର ଆଉ ନାହାନ୍ତି । ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର (ଚାୟାଁପାଳ)ଭଳି ଏକ ପଲ୍ଲୀରେ ରଜତ କରଙ୍କ ଜନ୍ମ । ପିତା କୁଳମଣି କରଙ୍କ ସୁପୁତ୍ର ରଜତ କର କେବଳ ମାହାଙ୍ଗା ନୁହେଁ ଓଡିଶା ଏବଂ ଓଡିଶା ବାହାରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶିକ୍ଷା ବିଭାଗରୁ ଚାକିରୀ ଜୀବନ ଆରମ୍ଭ କରିଥିବା ରଜତ, ପ୍ରଥମେ ସ୍କୁଲ ଏସଆଇ ଭାବେ କାର୍ଯ୍ୟ ଆରମ୍ଭ କରି ଶିକ୍ଷା ନିର୍ଦ୍ଦେଶକ ଦାୟୀତ୍ୱ ତୁଲାଇଥିଲେ । ତାଙ୍କ ସମୟରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବହୁ ସଂସ୍କାର ଆସିପାରିଥିଲା ।
ଭଞ୍ଜ ସାହିତ୍ୟକୁ ଜନାଦୃତ କରିବାରେ ସେ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ । ନାଟକ ରଚନାଠାରୁ ଅଭିନୟ ଏବଂ ନିର୍ଦ୍ଦେଶନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିପାରିଛି । ଜଗନ୍ନାଥ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ଜଗନ୍ନାଥ ମହାପ୍ରଭୁଙ୍କ ବହୁ ଅନାଲୋଚିତ ଦିଗ ଉପରେ ରଜତ କରଙ୍କ ନୀରବଛିନ୍ନ ସାଧନା ଓ ଗବେଷଣା ଯୋଗୁଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ତାଙ୍କର ହଜାର ହଜାର ଅନୁଗାମୀ ସୃଷ୍ଟି ହୋଇପାରିଥିଲେ । ଦେଶ ବିଦେଶରେ ପ୍ରଭୁ ଜଗନ୍ନାଥଙ୍କ ଅପାର ମହିମା ଓ ଜଗନ୍ନାଥ ତତ୍ତ୍ବ ଉପରେ ଗବେଷଣାତ୍ମକ ଭାଷଣ ଦେଇ ଅନେକ ପ୍ରଶଂସା ସାଉଁଟି ପାରିଥିଲେ ।
ରଥଯାତ୍ରା ସମୟରେ ଆକାଶବାଣୀ ହେଉ କିମ୍ବା ଦୂରଦର୍ଶନ, ଅଥବା ଟେଲିଭିଜନ ପରଦାରେ ଜଣେ ଉଚ୍ଚକୋଟିର ଘୋଷକ ଭାବେ ରଜତ କରଙ୍କ ପାଣ୍ଡିତ୍ୟର ତୁଳନା ନାହିଁ । ପୂର୍ବତନ ବାଚସ୍ପତି ଶରତ କରଙ୍କ ବଡ଼ଭାଇ ରଜତ କରଙ୍କୁ ମହାମହିମ ରାଷ୍ଟ୍ରପତି ନିକଟରେ ପଦ୍ମଶ୍ରୀ ଭଳି ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦାନ କରିଥିଲେ । ଏହା କେବଳ ଜନ୍ମମାଟି ମାହାଙ୍ଗାକୁ ଗର୍ବିତ କରିନଥିଲା, ଓଡ଼ିଶାର ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କୁ ଆନନ୍ଦିତ କରିଥିଲା ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏହି କାଳଜୟୀ ସାରସ୍ୱତ ପୁରୁଷଙ୍କ ଦେହାନ୍ତ ଘଟିବା ଖବର ସାରା ଓଡିଶାକୁ ଶୋକାଭିଭୂତ କରିଦେଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ୍, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ବିରୋଧୀଦଳ ନେତା ପ୍ରଦୀପ ନାୟକ, ବରିଷ୍ଠ କଂଗେସ ନେତା ନରସିଂହ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ସାଲେପୁରରୁ ଅଭୟ ଜେନା