ବ୍ରଜରାଜନଗର ଉପନିର୍ବାଚନ: ରାଧାରାଣୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କଲା ବିଜେପି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦଳ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତାଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ଆଉ ଏହାସହ ପ୍ରଥମ ଦଳ ଭାବେ ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ନାଁ ଘୋଷଣା କରିଛି ବିଜେପି । ପୂର୍ବରୁ ବ୍ରଜରାଜନଗରରୁ ବିଧାୟିକା ରହି ସାରିଛନ୍ତି ରାଧାରାଣୀ । ତେବେ ଗତ ୨୦୧୯ ନିର୍ବାଚନରେ ବିଜେପିର ହାୱା ଥିବା ସତ୍ତ୍ବେ ରାଧାରାଣୀ ପରାଜିତ ହୋଇଥିଲା । ବିଜେଡି ଏଠାରେ ବିଜୟ ବାନା ଉଡାଇଥିଲା ।
ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ଭାବେ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଏଠାରୁ ପ୍ରାର୍ଥୀ କରିଥିଲା । ମାତ୍ର ରାଧାରାଣୀ ପଣ୍ଡା ବିଜେଡିର ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କଠାରୁ ହାରି ଯାଇଥିଲେ ।
ଗତବର୍ଷ ଡିସେମ୍ବର ୩୦ରେ ହୃଦଘାତରେ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ବିଧାନସଭା ଆସନ ଖାଲି ପଡ଼ିଥିବା ବେଳେ ମେ’ ୩୧ରେ ଏଥିପାଇଁ ଭୋଟ୍ ଗ୍ରହଣ କରାଯିବ ।
ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ସସପେନ୍ସ ଦେଖିବାକୁ ମିଳିଥିଲା । ରାଧାରାଣୀ ନା ସୁଜିତ କାହା ନାଁରେ ବିଜେପିର ଶୀର୍ଷ ନେତୃତ୍ୱ ମୋହର ମାରିବେ ତାହାକୁ ଅପେକ୍ଷା କରିଥିଲେ ଦଳୀୟ କର୍ମୀ ।
ଅପରପକ୍ଷେ କଂଗ୍ରେସରୁ ପୂର୍ବତନ ବାଚସ୍ପତି କିଶୋର ପଟେଲ ପ୍ରାର୍ଥୀ ହେବେ ବୋଲି ଦଳର ବିଧାୟକ ସନ୍ତୋଷ ସିଂ ସାଲୁଜା ଏକପ୍ରକାର ସ୍ପଷ୍ଟ କରି ସାରିଛନ୍ତି । ତେବେ ଏଯାଏଁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଏଭଳି ସ୍ଥଳେ ବ୍ରଜରାଜନଗରରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ବିଜେଡି ଶିବିରରୁ ଏକାଧିକ ଆଶାୟୀଙ୍କ ନାଁ ଏବେ ସାମ୍ନାକୁ ଆସୁଛି । ବିଜେଡି ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ନା ଆଉ କାହାକୁ ଟିକେଟ୍ ଦେବ, ତାହା ଏଯାଏଁ ସ୍ପଷ୍ଟ କରିନି ।