ଆଜି ସଂଧ୍ୟାରୁ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ବହିବ ପବନ

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବ ସମ୍ଭାବନା । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ । ବାତ୍ୟା ‘ଅସାନି’ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବା ପରେ ପବନର ବେଗ ବଢ଼ିବ ।
ଆଜି ସଂଧ୍ୟାରୁ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ୯ ତାରିଖ ବେଳକୁ ୧୦୫ରୁ ୧୧୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଯାହାର ଝଟକା ୧୨୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ । ତେବେ ବାତ୍ୟା ଉପକୂଳଠାରୁ ୧୫୦ରୁ ୨୦୦ କିଲୋମିଟର ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ସ୍ଥଳଭାଗରେ ପବନର ତୀବ୍ରତା ଏତେ ଅନୁଭୂତ ହୋଇନପାରେ । ୧୦ ତାରିଖରୁ ପବନର ବେଗ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ଥିବାରୁ ପାରାଦୀପ, ଗୋପାଳପୁର, ଚାନ୍ଦବାଲି ଓ ପୁରୀ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।