କିଏ ହାତେଇବ ବ୍ରଜରାଜନଗର ମୁକୁଟ, ଆଜିଠୁ ନାମାଙ୍କନ…

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ମେ’ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ । ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଉପନିର୍ବାଚନକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଆଇନଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଚଳିତ ଥର ଉପନିର୍ବାଚନ ପାଇଁ ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଗତ ନିର୍ବାଚନରେ ୨୫୭ଟି ବୁଥ୍ ଥିଲା । ତେବେ ଉପନିର୍ବାଚନରେ ଅଧିକ ୨୨ଟି ବୁଥ୍ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛି । ମେ’ ୩୧ରେ ହେବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ । ବିଜେଡିର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି ।
ଗତ ଡିସେମ୍ବର ୩୦ରେ ଶ୍ରୀ ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାବେଳେ ମେ’ ୩୦ତାରିଖ ସୁଦ୍ଧା ୬ମାସ ପୂରଣ ହେଉଛି । ଇତିମଧ୍ୟରେ ପ୍ରାୟ ସାଢ଼େ ୪ମାସ ବିତିଯାଇଛି । ତେଣୁ ଏହି ଆସନ ପୂରଣ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି ।
ବ୍ୟୁରୋ ରିପୋର୍ଟ