କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । କାଲିଠୁ ୟୁଜି, ପିଜି କ୍ଲାସ୍ ବନ୍ଦ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହୋଇଛି ।
ସୂଚନାଯୋଗ୍ୟ, ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ଯୋଗୁଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଖରାରେ ଛୋଟ ଛୋଟ ପିଲା ସ୍କୁଲରୁ ଫେରିବାକୁ ନେଇ ଚିନ୍ତାରେ ଥିଲେ ଅଭିଭାବକ । ଆଉ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅଭିଭାବକଙ୍କୁ ଆଶ୍ୱସ୍ତି ଆଣି ଦେଇଛି ।