ପ୍ରେମ ସାକାର ହେବା ଆଗରୁ ପ୍ରେମିକ ହେଲେ ହତ୍ୟାର ଶିକାର, ଆଉ ଆତ୍ମହତ୍ୟା କଲେ ପ୍ରେମିକା

ପ୍ରେମ ସଂଜ୍ଞାହୀନ । ହେଲେ ପ୍ରେମ ହିଁ ଜୀବନର ମୂଳ ଆଧାର । ଦୁଇ ପ୍ରେମ ପକ୍ଷୀ ଦୀର୍ଘ ଦିନ ହେବ ନିଜ ପ୍ରେମକୁ ସାକାର କରିବା ଲାଗି ପରିବାରର ସ୍ବୀକୃତି ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଆଉ ଭଗବାନଙ୍କ ଆଶୀର୍ବାଦରୁ ତାଙ୍କ ପ୍ରେମକୁ ସ୍ବୀକୃତି ମିଳିଥିଲା । ପରିବାରର ସହମତି କିରମେ ଦୁଇ ପ୍ରେମପକ୍ଷୀଙ୍କ ନିର୍ବନ୍ଧ ମଧ୍ୟ ସରିଯାଇଥିଲା । ଦୁହେଁ ବେଶ୍ ଖୁସି ଥିଲେ । ଆଉ ଦିନ କେଇଟା ପରେ ଅର୍ଥାତ୍ ଆସନ୍ତା ୧୩ ତାରିଖରେ ଗଞ୍ଜାମ ଜିଲ୍ଲା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ଏବଂ ଆରତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଆନ୍ତା । ହେଲେ ସବୁକିଛି ଓଲଟପାଲଟ ହୋଇଗଲା ।
ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ର ପରିଡା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଗାଁ ପାଖ ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ନିଜ ଆଖି ଆଗରେ ନିଜ ପ୍ରେମକୁ ମରିଥିବାର ଦେଖି ଭାଙ୍ଗିଯାଇଥିଲେ ଆରତୀ । ନା ଥିଲା ବଞ୍ଚିବାର ଇଚ୍ଛା ନା ଆଗକୁ ବଢିବାର ସାହାସ । ଶେଷରେ ଯେଉଁ ସ୍ଥାନରେ କୃଷ୍ଣଙ୍କ ହତ୍ୟା ହୋଇଥିଲେ, ସେହିଠାରେ ଆରତୀ ବିଷ ପିଇଦେଲେ ।
ଗାଁ ଲୋକେ ଆରତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ୍ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ପୋଲିସ କୃଷ୍ଣଚନ୍ଦ୍ର ପରିଡ଼ା ମର୍ଡର ମାମଲାରେ କେତେକ ଲୋକଙ୍କୁ ସନ୍ଦେହରେ ଅଟକ ରଖିଥିଲାବେଳେ ସେମାନଙ୍କୁ ପଚରାଉଚରା ପରେ ଛାଡି ଦେଇଥିବା ଜଣାପଡିଛି । ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ହଂସପୁର ଗାଁ ଲୋକେ ନିଆଁ ଜାଳି ରାସ୍ତା ରୋକ କରିଥିଲେ ।