ଏଣିକି ପିଲାଙ୍କ ପାଠ ଭରଣା କରିବା ପାଇଁ ନୂଆ ପାଠ୍ୟକ୍ରମ ! ପୁରୁଣା ଦୁଇ ବର୍ଷର ପାଠ୍ୟକ୍ରମ ସହ ନୂଆ ପାଠ୍ୟକ୍ରମ ପଢିବେ ଛାତ୍ରଛାତ୍ରୀ

ଏଣିକି ପିଲା ଖରାଛୁଟିରେ ପଢିବେ ପୁରୁଣା ପାଠ୍ୟକ୍ରମ । କରୋନା କାରଣଙ୍କୁ ପିଲାଙ୍କ ପାଠପଢା ବ୍ୟାହାତ ହୋଇଛି । ଏଣୁ ପିଲାଙ୍କ ପାଠ ଭରଣା କରିବା ଲାଗି ଲାଗୁ ହେବ ବ୍ରିଜ୍ କୋର୍ସ । ଏଭଇଘି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି । ହେଲେ ଏ ନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେ ନେଇ ବିଚାର କରିବ ।
ସୂଚନା ଅନୁସାରେ, ପ୍ରତିବର୍ଷ ଖରାଛୁଟି ୫୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଗତ ୨ ବର୍ଷ ହେବ କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି । ତେଣୁ ଚଳିତବର୍ଷ ଖରା ଛୁଟିକୁ ୫୦ ଦିନ ବଦଳରେ ୧୧ଦିନରେ ସୀମିତ ରଖାଯାଇଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପୂରା ଶିକ୍ଷା ବର୍ଷରେ ନୂଆ ଓ ପୁରୁଣା ପାଠ ମିଶାଇ ପଢ଼ାଯିବ । ଅର୍ଥାତ୍ ଦଶମ ଓ ଦ୍ୱାଦଶ ପିଲାଙ୍କୁ ବାଦ୍ ଦେଇ ଛାତ୍ରଛାତ୍ରୀ ତିନିବର୍ଷର ପାଠ ପଢ଼ିବେ । ତୃତୀୟରୁ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କୁ ଏହି ପାଠ ପଢ଼ାଯିବ । ଏଥିପାଇଁ ପୁରୁଣା ଦୁଇବର୍ଷର ପାଠକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇଛି । ଯାହାକୁ ପୂରା ଶିକ୍ଷା ବର୍ଷରେ ପିଲାମାନେ ପଢ଼ିବେ ଓ କ୍ଷତି ହୋଇଥିବା ପାଠର ଭରଣା ହୋଇପାରିବ । ତେବେ ଏଥିପାଇଁ ୪ଟି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ଏହାବାଦ ଦଶମ, ଦ୍ୱାଦଶ ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନାର ପ୍ରଭାବ ସେଭଳି ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ସେ କହିଛନ୍ତି ।