ଶିକାରୀଙ୍କ ଗୁଳିରେ ଘାଇଲା ବନ କର୍ମଚାରୀ, ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଙ୍ଗଲରେ ପଡ଼ି ରହିଲେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ

ଶିମିଳିପାଳ ଅଭୟାରଣ୍ୟରେ ଅଘଟଣ । ଶିକାରୀ ଗୁଳିରେ ଘାଇଲା ହେଲେ ବନ କର୍ମଚାରୀ । ଶିକାରୀଙ୍କ ଗୁଳି ତାଙ୍କ ୨ ଜଙ୍ଘରେ ବାଜିଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେ ଜଙ୍ଗଲରେ ପଡ଼ି ରହିଲେ । ଶେଷରେ ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଡ଼ୁକୁରା ରେଞ୍ଜ ଭଞ୍ଜବସା ଅଂଚଳରେ ଶିମିଳିପାଳ ଭିତରେ ପାଟ୍ରୋଲିଂ ଏବଂ ଜଙ୍ଗଲ ନିଆଁ ପାଇଁ ଯାଇଥିଲେ ୬ଜଣ ବନ କର୍ମଚାରୀ । ସେମାନଙ୍କ ମଧ୍ୟରେ ଥିଲେ ସବୁଜ ବାହିନୀ କର୍ମଚାରୀ ସୁନାରାମ ସିଂ । ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୫ରୁ ଅଧିକ ଶିକାରୀ ସେମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ବନ କର୍ମଚାରୀଙ୍କ କବଳରୁ ଖସିବାକୁ ଶିକାରୀମାନେ ଦେଶୀ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇବା ଫଳରେ ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା । ଏହାପରେ ଘଟଣାସ୍ଥଳରୁ ଶିକାରୀମାନେ ଖସି ଚାଲିଯାଇଥିଲେ ।
ଖବର ପାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।