ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଆଇଏଏସ୍ ବୀର ବିକ୍ରମ ଯାଦବ

ଓଏଏସ୍ ସ୍ତରରେ ଅଦଳବଦଳ ପରେ ଏବେ ଆଇଏଏସ୍ ସ୍ତରରେ ହୋଇଛି ଅଦଳବଦଳ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଏହି ପଦ ସମ୍ଭାଳିବେ । ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ପଦରେ ଅଛନ୍ତି ଆଇଏଏସ୍ ବୀର ବିକ୍ରମ ଯାଦବ । ବର୍ତ୍ତମାନ ଏହି ଦାୟିତ୍ୱ ସହିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।
ସେହିପରି ନିକୁଞ୍ଜ କିଶୋର ସୁନ୍ଦରରାୟଙ୍କୁ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଜାୟିତ୍ବ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବାପରେ ମୋନା ଶର୍ମାଙ୍କ ବଦଳରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଅପରପକ୍ଷେ ଶୁଭମ୍ ସକ୍କେନାଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ଏପଟେ ଆଇଏଫ୍ଏସ୍ ସଞ୍ଜିବ କୁମାର ଚଢ଼ା ଏଗ୍ରିକଲ୍ଚର ଓ ମାର୍କେଟିଂ ନିର୍ଦ୍ଦେଶକ ଭାବେ ଜାୟିତ୍ବ ନିର୍ବାହ କରିବା ସହ ସମନ୍ୱୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।