ଆରମ୍ଭ ହେଲା ଯୋଗୀ ଇନିଂସ ୨.୦ … ମନ୍ତ୍ରୀମଣ୍ଡଳ ସହ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଦୀର୍ଘ ୩୭ ବର୍ଷର ରେକର୍ଡ ଭାଙ୍ଗି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଯୋଗୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।

ଯୋଗୀଙ୍କ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନେକ ବଲିଉଡ ଷ୍ଟାର ଓ ବିଜେପିର ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ । ଯୋଗୀଙ୍କ ବ୍ୟତୀତ ଆଜି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଆଉ ୫୨ ଜଣ ମଧ୍ୟ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ସେହିପରି ଯୋଗୀଙ୍କ ନୂଆ ଟିମ୍ରେ ୫ ଜଣ ମହିଳା ରହିଛନ୍ତି ।


୨୦୧୭ରେ ଯୋଗୀ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଲୋକସଭା ସଦସ୍ୟ ଥିଲେ । ଏହାପରେ ସେ ଉତ୍ତର-ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅର୍ଥାତ ସେ ବିଧାନସଭାକୁ ସିଧାସଳଖ ନିର୍ବାଚିତ ହୋଇ ନଥିଲେ । ଏଥର କିନ୍ତୁ ଯୋଗୀ ଗୋରଖପୁର ଆସନରୁ ବିଜୟୀ ହୋଇ ପୁଣି ରେକର୍ଡ ସୃଷ୍ଟି କରିଛନ୍ତି ।