ଆସନ୍ତାକାଲି ପୌର ଫଇସଲା, ସିସିଟିଭିରେ ଯାଞ୍ଚ ହେବ ଭୋଟ୍ ଗଣତି ଦୃଶ୍ୟ

ଆସନ୍ତାକାଲି ପୌର ଫଇସଲା । କେମିତି ହେବ ଭୋଟ୍ ଗଣତି ଏ ନେଇ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲର ବ୍ୟବସ୍ଥା ମଧ୍ୟ ହୋଇଛି । ଉଭୟ କାଉନସିଲର ଓ ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନିସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ଓ ମେୟର ଭୋଟ୍ ଗଣତି ପାଇଁ ମୁନିସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।
ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ତାଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ମଧ୍ୟ ନିୟୋଜିତ ହେବେ । ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ । ତେବେ ଏଜେଣ୍ଟ ହେବାକୁ ଚାହୁଁଥିଲେ ସନ୍ଧ୍ୟା ୫ଟା ଭିତରେ ସ୍ଥାନୀୟ ଇଲେକ୍ସନ ଅଫିସରଙ୍କୁ ବାୟୋଡାଟା ଦେବା ପାଇଁ ନିର୍ବାଚନ କମିଶନଙ୍କ ସଚିବ ପ୍ରକାଶ କରିଛନ୍ତି । ଅପରପକ୍ଷେ ଭୋଟ୍ ଗଣତିର ସମସ୍ତ ଦୃଶ୍ୟକୁ ସିସିଟିଭିରେ ଯାଞ୍ଚ କରାଯିବ ।