କଡା ମୁକାବିଲା ମଧ୍ୟରେ ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବରୁଣ କୁମାର ସର

କଡା ମୁକାବିଲା ମଧ୍ୟରେ ଅନୁଷ୍ଠିତ ହେଲା ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ହଦ । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ବ୍ଲକ ବିଜେଡି ସଭାପତି ତଥା କଳିଙ୍ଗା ପଞ୍ଚାୟତର ସମିତି ସଭ୍ୟ ବରୁଣ କୁମାର ସର । ନିଜ ପ୍ରତିଦ୍ୱନ୍ଦୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତଙ୍କୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ କରି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବରୁଣ । ୧୮ ସଂଖ୍ୟା ମ୍ୟାଜିକ ଅଙ୍କ ନିର୍ଣ୍ଣାୟକ ହୋଇଥିବା ବେଳେ ଶ୍ରୀଯୁକ୍ତ ବରୁଣଙ୍କ ସପକ୍ଷରେ ୧୮ ଜଣ ନିର୍ବାଚିତ ସମିତି ସଭ୍ୟ ଓ ସଭ୍ୟା ମତଦାନ କରିଥିଲେ । ଅପରପକ୍ଷେ ପ୍ରତିଦ୍ୱନ୍ଦୀ ପ୍ରିୟରଞ୍ଜନଙ୍କ ସପକ୍ଷରେ ୧୭ ଜଣ ମତଦାନ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ପଦ ପାଇଁ ନିର୍ଣ୍ଣାୟକ ନିର୍ବାଚନରେ ୩୫ଟି ପଞ୍ଚାୟତର ୩୫ ଜଣ ନବନିର୍ବାଚିତ ସଭ୍ୟ ଓ ସଭ୍ୟା ସାମିଲ ହୋଇଥିଲେ । ନିର୍ବାଚନୀ ପ୍ରକ୍ରିୟାରେ ୨ ଜଣ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ପରେ ନିର୍ବାଚନ କରାଯାଇ ଗଣତି ହୋଇଥିଲେ । ଏଥିରେ କଡା ମୁକାବିଲା ମଧ୍ୟରେ ବିଜେଡି ସମର୍ଥିତ ପ୍ରାର୍ଥୀ ବରୁଣ ସରଙ୍କୁ ଉପାଧ୍ୟକ୍ଷ ଭାବେ ଓଡାପଡା ବିଡ଼ିଓ ସରକାରୀ ଭାବେ ଘୋଷଣା କରିଥିଲେ । ଏହି ନିର୍ବାଚନୀ ଛକାପଞ୍ଝାରେ ବ୍ଲକ କାର୍ଯ୍ୟଳୟ ବାହାରେ ବହୁ ଦଳୀୟ ସମର୍ଥକ, କର୍ମୀ, କାର୍ଯ୍ୟକର୍ତ୍ତାଙ୍କ ସମେତ ହିନ୍ଦୋଳ ବିଧାୟିକା ସୀମାରଣୀ ନାୟକ ଉପସ୍ଥିତ ଥିଲେ । ଶେଷରେ ଫଳାଫଳ ଘୋଷଣା ପରେ କର୍ମୀମାନେ ଉତ୍ସାହିତ ହୋଇ ବାଣ ଫୁଟାଇ ଖୁସି ମନାଇଥିଲେ ।
ହିନ୍ଦୋଳରୁ ସୁଜିତ କୁମାର ବେହେରା