ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ… ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ

ଜେଏନୟୁ, ଡିୟୁ ସମେତ ବଦଳିଲା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆଡମିଶନ ନିୟମ । ଏଣିକି କମନ ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀଙ୍କୁ ମିଳିବ ଆଡମିଶନ । ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ପିଲାମାନଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାଁ ଲେଖାଇବାକୁ ଅନୁମତି ମିଳିବ ନାହିଁ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁଜିସି ମୁଖ୍ୟ ଏମ୍ ଜଗଦେଶ କୁମାର ।
ସୂଚନା ଅନୁଯାୟୀ, ନୂଆ କମନ ୟୁନିଭର୍ସିଟି ଏଡୁକେସନ ଟେଷ୍ଟ ଜୁଲାଇ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ଏବଂ ଏହି ପ୍ରବେଶ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ।
ଦେଶର କିଛି ଟପ୍ ବିଶ୍ୱବିଦ୍ୟାଳୟରେ ଅଣ୍ଡର ଗ୍ରାଜ୍ୟୁଏଟ ପାଠ୍ୟକ୍ରମ ପାଇଁ ୧୦୦% କଟ୍ଅଫ ମାର୍କ ଧାର୍ଯ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସୁବ ପିଲାଙ୍କୁ ସୁଯୋଗ ଦେବା ପାଇଁ ଏକକ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଉଛି । ପିଲାମାନେ କେବଳ ଦ୍ୱାଦଶ ଶ୍ରେଣୀରେ ଅଧିକ ମାର୍କ ରଖିବାକୁ ଚେଷ୍ଟା କରିବା ଅପେକ୍ଷା ଏଣିକି ଅଧିକ ଜ୍ଞାନ ହାସଲ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ୟୁଜିସି ମୁଖ୍ୟ ।
ପ୍ରବେଶିକା ପରୀକ୍ଷାରେ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ଉପରେ ପ୍ରଶ୍ନପତ୍ର ଆସିବ । ପ୍ରଶ୍ନପତ୍ର ୪ଟି ବିଭାଗରେ ଆସିବ । ସେକ୍ସନ-୧ଏ, ସେକ୍ସନ-୧ବି, ସାଧାରଣ ଟେଷ୍ଟ ଏବଂ ପାଠ୍ୟକ୍ରମ ବିଭାଗ ସମେତ ୪ଟି ବିଭାଗରେ ପ୍ରଶ୍ନପତ୍ର ଆସିବ । ସେକ୍ସନ-୧ଏ’ରେ ୧୩ଟି ଭାଷାରେ ପ୍ରଶ୍ନପତ୍ର ଆସିବ । ଯେଉଁଥିରେ ଓଡ଼ିଆ ମଧ୍ୟ ରହିଛି ।