ଏପ୍ରିଲ ୨୯ରେ ହେବ ମାଟ୍ରିକ ପରୀକ୍ଷା, କେମିତି ହେବ ମୂଲ୍ୟାୟନ ଦେଖନ୍ତୁ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ଏପ୍ରିଲ ୨୯ରୁ ମେ’ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷା ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ସେହିପରି ନିଜ ସ୍କୁଲରେ ପରୀକ୍ଷା ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ଏ ନେଇ ମାଧ୍ୟମିକ ସ୍କୁଲ ଶିକ୍ଷା ପରିଷଦ ଗାଇଡଲାଇନ୍ ଜାରି କରିବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ବିଗତ ୨ ବର୍ଷର କରୋନା ସ୍ଥିତିକୁ ବିଚାରକୁ ନେଇ ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ । ଦୁଇଟି ବିକଳ୍ପ ଓ ଗୋଟିଏ ନୂତନ ମୂଲ୍ୟାୟନ ପଦ୍ଧତିରେ ହେବ ମୂଲ୍ୟାୟନ ।
ମୂଲ୍ୟାୟନ ପ୍ରକ୍ରିୟା :
ପ୍ରଥମ ପଦ୍ଧତିରେ ସମ୍ମେଟିଭ୍-୧ ଓ ଇଣ୍ଟରନାଲ୍ ଆସେସମେଣ୍ଟର ମାର୍କ ୨ ଗୁଣ ହେବ ।
ଦ୍ବିତୀୟ ପଦ୍ଧତିରେ ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ ।
ସେହିପରି ତୃତୀୟ ପଦ୍ଧତିରେ ଇଣ୍ଟରନାଲ ଆସେସମେଣ୍ଟରୁ ୨୦%, ସମ୍ମେଟିଭ୍-୧ରୁ ୩୦%, ସମ୍ମେଟିଭ୍-୨ରୁ ୫୦% ନିଆଯାଇ ନମ୍ବର ହିସାବ କରାଯିବ । ଯେଉଁ ଆସେସ୍ମେଣ୍ଟରେ ଅଧିକ ମାର୍କ ଥିବ ତାହା ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।