ପଞ୍ଜାବରେ କଂଗ୍ରେସର ବହୁ ହେଭିୱେଟଙ୍କୁ ଚିତପଟାଙ୍ଗ କରିଛନ୍ତି ଆପ୍ ପ୍ରାର୍ଥୀ

ପଞ୍ଜାବ ରାଜନୀତିର ଫଳାଫଳ ଏଥର ସମସ୍ତଙ୍କୁ ଚକିତ କରିଛି । ପଞ୍ଜାବ ରାଜନୀତି ମୈଦାନରେ ଚିତପଟାଙ୍ଗ ମାରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି । ନିକଟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳିଥିଲେ ଚରଣଜିତ ସିଂହ ଚନ୍ନି । ଦଳର ହାଇକମାଣ୍ଡ ତାଙ୍କ ଉପରେ ବିଶ୍ୱାସ ଦେଖାଇଥିଲେ । ଚନ୍ନି ପଞ୍ଜାବର ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ସେ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି । ଉଭୟ ଚମକୌର ସାହିବ ଏବଂ ଭଦୌର ଆସନରେ ଚନ୍ନିଙ୍କ ଉପରେ ଭରସା କରିନାହାନ୍ତି ଭୋଟର । ଉଭୟ ଆସନରେ ଆପର ପ୍ରାର୍ଥୀ ହିଁ ଚନ୍ନିଙ୍କୁ ମାତ୍ ଦେଇଛନ୍ତି । ଭଦୌର ଆସନରେ ୩୭ ହଜାରରୁ ଅଧିକ ଭୋଟରେ ଓ ଚମକୌର ସାହିବ ଆସନରୁ ୬ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି ଚନ୍ନି ।
ସୂଚନା ମୁତାବକ, ଗତ ସେପ୍ଟେମ୍ବର ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନ ସମ୍ଭାଳି ଥିଲେ ଚନ୍ନି । ଦଳୀୟ କନ୍ଦଳ ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚନ୍ନିଙ୍କୁ ହାଇକମାଣ୍ଡ ପଞ୍ଜାବ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲେ । ତାଙ୍କୁ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ବେଶ୍ ପ୍ରଶଂସା ମିଳିଥିଲା ।
ତେବେ କେବଳ ଚନ୍ନି ହାରିନାହାନ୍ତି ବରଂ ପଞ୍ଜାବର ବଡ ବଡ ହେଭିୱେଟ ଚେହେରା ମଧ୍ୟ ପରାଜୟର ସାମ୍ନା କରିଛନ୍ତି । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲ ମଧ୍ୟ ପରାଜିତ ହୋଇଛନ୍ତି ।