ସିବିଆଇ ହେପାଜତରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ପୂର୍ବତନ ସିଇଓ ଚିତ୍ରା

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ରବିବାର ଗିରଫ କରିଛି ସିବିଆଇ । ସିବିଆଇ ଅଧିକାରୀଙ୍କ କହିବା ମୁତାବକ, ତାଙ୍କୁ ଦିଲ୍ଲୀରୁ ଗିରଫ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ଏହାପରେ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ରଖାଯାଇଥିଲା । ଗତ ୩ ଦିନ ଧରି ଚିତ୍ରାଙ୍କୁ ଲଗାତାର ଭାବେ ଜେରା ଜାରି କରାଯାଇଥିଲା । ହେଲେ ତାଙ୍କ ଠାରୁ କୌଣସି ସଠିକ୍ ଉତ୍ତର ମିଳିନଥିଲା । ଏହାସହ ତାଙ୍କ ବାସଭବନକୁ ମଧ୍ୟ ରେଡ୍ କରାଯାଇଥିଲା ।
ସୂଚନା ମୁତାବକ, ୨୦୧୩ରୁ ୨୦୧୬ ମଧ୍ୟରେ ଚିତ୍ରା ଏନଏସଇର ସିଇଓ ଥିଲେ । ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍ଙ୍କ ସହ ବେଆଇନ କାରବାରରେ ସମ୍ପୃକ୍ତ ଥିବା ନେଇ ୫୯ ବର୍ଷୀୟ ଚିତ୍ରା ସିବିଆଇ ରାଡ଼ାରରେ ଥିଲେ । ଏନଏସଇର ବହୁ ଗୋପନ ତଥ୍ୟ ଲିକ୍ କରିଥିବା ନେଇ ଚିତ୍ରାଙ୍କ ନାମରେ ଅଭିଯୋଗ ରହିଛି । ଗତ ଫେବୃଆରୀ ୧୧ରେ ଚିତ୍ରା ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଥିଲେ । ସେବି ପକ୍ଷରୁ କରାଯାଇଥିବା ଏକ ତଦନ୍ତରୁ ଜଣାପଡ଼ିଥିଲା ଯେ, ସେ ହିମାଳୟର ଜଣେ ଯୋଗୀଙ୍କ ନିର୍ଦ୍ଦେଶରେ ଏନଏସଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ । ଏହା ପରେ ସେବି ଚିତ୍ରାଙ୍କ ଉପରେ ୩ କୋଟିର ଜରମାନା ଲଗାଇଛି । ଯୋଗୀ ନାମରେ ହିମାଳୟରେ ରହୁଥିବା ଆନନ୍ଦ ସୁବ୍ରମନ୍ୟମ୍ଙ୍କୁ ଚିତ୍ରା ଇମେଲ ମାଧ୍ୟମରେ ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଚିତ୍ରା ଆଗୁଆ ଜାମିନ ଆବେଦନ କରିଥିଲେ ବି ଶନିବାର ସିବିଆଇର ବିଶେଷ ଅଦାଲତ ଏହାକୁ ଖାରଜ କରିଦେଇଥିଲେ ।
ଚିତ୍ରା ଏନଏସଇର କୋ-ଲୋକସନ ବ୍ୟବସ୍ଥାର ଦୁରୁପଯୋଗ କରି ଷ୍ଟକ ମାର୍କେଟ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଗୁଆ ପ୍ରଘଟ କରୁଥିବାର ଅଭିଯୋଗ ହୋଇଛି । ଏହି ମାମଲାରେ ଦିଲ୍ଲୀ ସିବିଆଇ ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ମାମଲା ରୁଜ୍ଜୁ କରିଛି ।