ଖାକିର ତାଉ । ନିରୀହ ଲୋକଙ୍କୁ ଦାଦାବଟି ମାଗୁଛନ୍ତି ନିଶାଶକ୍ତ ପୋଲିସ କର୍ମଚାରୀ । ପଇସା ନ ମିଳିବାରୁ ମାଡ ମରାଯାଇଥିବା ଅଭିଯୋଗ ।

ଖାକିର ତାଉକୁ ନେଇ ପ୍ରଶ୍ନ ଉଠାଇଲେ ସାଧାରଣ ଜନତା । ବିନା ବର୍ଦ୍ଦିରେ ନିଶାଶକ୍ତ ଅବସ୍ଥାରେ ରହି ପ୍ରଥମେ ନିରୀହ ଲୋକଙ୍କ ଗାଡି ଅଟକାଇ କାଗଜ ପତ୍ର ଯାଞ୍ଚ କରିବା ସହ ଗାଡି ଡିକି ଯାଞ୍ଚ କଲେ । ଗାଡି କାଗଜ ପତ୍ର ଠିକ୍ ଥିବା ଜଣିବା ପରେ ନିରୀହ ଲୋକଙ୍କୁ ବିଭିନ୍ନ ଆଳରେ ଖାକିର ତାଉ ଦେଖାଇ ବଟି ମାଗିଲେ । ପରେ ସେମାନଙ୍କୁ ବ୍ୟାରେକ ଭିତରକୁ ନେଇ ପ୍ରବଳ ମାଡ ମାରିବା ସହ ୨୦ ହଜାର ଟଙ୍କା ଦେଲେ ଛାଡିଦେବେ ବୋଲି କହିଥିଲେ । ଏପରିକି ପୋଲିସ କର୍ମଚାରୀ ପଇସା ପାଇଁ ସେମାନଙ୍କ ମୋବାଇଲର ଫୋନ୍ ପେ ନମ୍ବରର ପାସୱାର୍ଡ ମାଗି ଚେକ୍ କରିଥିଲେ । ତେବେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ନ ଥିବାରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଦୁଇ ଯୁବକ । ଏଭଳି ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ମନୁପାଲି ପଞ୍ଚାୟତ ଅର୍ନ୍ତଗତ ରିଷିବନ୍ଧ ଗ୍ରାମର ସୁନିଲ ଶେଖର ମହାନନ୍ଦିଆ ଓ ପ୍ରକାଶ ଲୁହା । ଅନୁଗୁଳ ଜିଲ୍ଲାର କିଆକଟା ଥାନାର କିଛି କର୍ମଚାରୀଙ୍କ ବିରୋଧରେ ଦୁଇ ମାମୁଁ ଭଣଜା ଅଭିଯୋଗ ଆଣିବା ସହ ତାଙ୍କ ସହ ଘଟିଥିବା ଘଟଣାବଳୀ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ସୁନିଲ ଓ ପ୍ରକାଶ ଏକ ମୃତାହ କାର୍ଯ୍ୟର କାର୍ଡ ବାଣ୍ଟିବାକୁ କିଆକଟା ଥାନା ଅନ୍ତର୍ଗତ କାଦପଡା ଗ୍ରାମକୁ ଯାଇଥିଲେ । ସେଠାରୁ ବାଇକ ଯୋଗେ ଫେରୁଥିବା ସମୟରେ ବିଶ୍ରାମ ପାଇଁ ରାସ୍ତା ପାଶ୍ୱରେ ଟିକେ ଅଟକି ଥିଲେ । ତେବେ ଏହି ସମୟରେ ସାଧା ପୋଷାକରେ ଥିବା ଦୁଇଜଣ ନିଶାସକ୍ତ ପୋଲିସ କର୍ମଚାରୀ ସେମାନଙ୍କୁ ଗାଡିର କାଗଜପତ୍ର ମାଗିବା ସହିତ ଗାଡିର ଡିକି ତନଖି କରିଥିଲେ । ସବୁ ଠିକଥିବା ସତ୍ୱେ ସେମାନଙ୍କଠାରୁ ୪ ହଜାର ଟଙ୍କା ଦାବି କରିଥିଲେ । ଦୁହେଁ ଟଙ୍କା ନ ଦେବାରୁ ସେମାନଙ୍କୁ ବ୍ୟାରେକର ଏକ କୋଠରି ଭିତରକୁ ନେଇ ପ୍ରବଳ ମାଡ ମାରିବା ସହିତ ୨୦ ହଜାର ଟଙ୍କା ଦେଲେ ଛାଡିଦେବେ ବୋଲି କହିଥିଲେ । ତେବେ ଦୁହିଁଙ୍କ ପାଖରେ ପଇସା ନଥିବା ଜାଣି ସେମାନଙ୍କଠାରୁ ଗାଡି ରଖିନେବା ସହିତ ଟଙ୍କା ଧରି ଆସିଲେ ଗାଡି ନେବ ବୋଲି କହି ରାତି ଅଧରେ ଛାଡିଦେଇଥିଲେ ।
ପରେ ଉଭୟ ଗାଁର କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ବାବଦରେ ଜଣାଇବା ପରେ ଯୁବକମାନଙ୍କ ସହ ସାମ୍ବାଦିକମାନେ ଆସି ଥାନା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ । ତେବେ ଥାନା ଅଧିକାରୀ ଏହି ଘଟଣା ବାବଦରେ କିଛି ଜାଣିନଥିବାବେଳେ ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଅପରପକ୍ଷେ ଥାନା ଅଧିକାରୀ ଯୁବକମାନଙ୍କୁ ଗାଡି ଫେରାଇଦେଇଥିବା ମଧ୍ୟ ଜଣାପଡିଛି । ତେବେ ଖାକିର ଏଭଳି ରୂପକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ବୌଦ୍ଧରୁ ସୁମନ୍ତ ମେହେର