ପାକିସ୍ତାନର ପେଶାୱାରରେ ଥିବା ମସଜିଦରେ ଆତ୍ମଘାତୀ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ଶୁକ୍ରବାର ସମୂହ ନମାଜ ପାଠ ଚାଲିଥିବାବେଳେ ବିସ୍ଫୋରଣ ହେବାରୁ ଘଟଣା ସ୍ଥଳରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ସହ ବିସ୍ଫୋରଣ ଯୋଗୁଁ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଅପରପକ୍ଷେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ମିଳିଥିବା ସୂଚନା ମୁତାବକ, କ୍ୱିସା ଖ୍ବାନି ବଜାରରେ ଥିବା ଜାମିଆ ମସଜିଦରେ ଏପରି ବିସ୍ଫୋରଣ ଘଟିଛି । ମସଜିଦରେ ଶୁକ୍ରବାର ନମାଜ ପଢା ହେଉଥିବାବେଳେ ବିସ୍ଫୋରଣ ହୋଇଥିଲା । ତୁରନ୍ତ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ ବି ଅନେକ ପ୍ରାଣ ହରାଇଛନ୍ତି । ଅତି ସଙ୍ଗୀନ ଅବସ୍ଥାରେ ୫୦ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ମଧ୍ୟ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ସେପଟେ ପ୍ରଶାସନ କହିଛି ଯେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ସେହିପରି ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ କରୁଛନ୍ତି । ଆତ୍ମଘାତୀ କିମ୍ବା ପୂର୍ବରୁ ଖଞ୍ଜା ଯାଇଥିବା ବୋମା ଯୋଗୁଁ ବିସ୍ଫୋରଣ ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।