କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପୂର୍ବରୁ କର୍ପୋରେଟର ପଦ ସମ୍ଭାଳିଛନ୍ତି ଗିରିବାଳା ବେହେରା

ପୌର ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିପାଇଁ ସବୁଦଳ ଆରମ୍ଭ କଲେଣି ରଣନୀତି । ତେବେ ଏସବୁ ଭିତରେ କଂଗ୍ରେସ ଦଳ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ ନେଇ ବସିଥିବା ବୈଠକରେ କଂଗ୍ରେସ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହାସହ କଟକ ପାଇଁ କର୍ପୋରେଟର ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ସହ ଖୁବଶୀଘ୍ର ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କଟକର ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ବାଛିଥିବା ଗିରିବାଳା ବେହେରା ଏବେ ପିସିସି ମହିଳା କଂଗ୍ରେସର ଉପସଭାପତି ରହିଛନ୍ତି । ଏହାଛଡା ଗିରିବାଳା ନଗର କଂଗ୍ରେସର ମଧ୍ୟ ଜଣେ ଟାଣୁଆ କର୍ମୀ । ପୂର୍ବରୁ ସେ ଥରେ କର୍ପୋରେଟର ହୋଇଥିବାବେଳେ ତାଙ୍କର ସାଙ୍ଗଠନିକ ଦକ୍ଷତା ଥିବାରୁ ତାଙ୍କୁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ କରାଯାଇଛି ।
ସେପଟେ ଆଜି ଠାରୁ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଏହା ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ୯ତାରିଖରେ ନାମାଙ୍କନ ପତ୍ରଯାଞ୍ଚ ହେବ । ୧୪ରେ ନାମାଙ୍କ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ହେବ ଏବଂ ୨୬ରେ ଫଳାଫଳ ପ୍ରକାଶ ପାଇବ । ମୋଟ ୧୦୬ଟି ପୌରାଞ୍ଚଳ ଏବଂ ୩ଟି ମହାନଗର ନିଗମ ପାଇଁ ଭୋଟ ହେବ ।