ଭୁବନେଶ୍ବରରୁ ଜବତ ହୋଇଛି ୧୫ କୋଟି ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର ରେଳ ଷ୍ଟେସନରୁ ଧରାପଡ଼ିଲା ୩୨ କେଜିରୁ ଅଧିକ ଓଜନର ସୁନା ଅଳଙ୍କାର । ଅଭିଯୁକ୍ତମାନେ ୪ଟି ବ୍ୟାଗରେ ଅଳଙ୍କାରଗୁଡିକୁ ମ୍ବମ୍ବାଇରୁ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ ଯୋଗେ ଆଣୁଥିବା ବେଳେ ଜିଆରପି ପୋଲିସ ଏହାକୁ ଜବତ କରିଛି । ଜବତ ଅଳଙ୍କାରର ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଜିଆରପି ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନି । ଅଧିକ ତଦନ୍ତ ପାଇଁ ଜିଏସ୍ଟି ଏବଂ ଆଇଟିକୁ ଜଣାଇଛି ଜିଆରପି ।
ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଜିଆରପି କୋଣାର୍କ ଏକ୍ସପ୍ରେସ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୩୨ କେଜି ସୁନା ଜବତ ହୋଇଛି । ତେବେ ଏହି ୪ ଜଣ ମୁମ୍ବାଇର ଏକ ସୁନା ଦୋକାନ କର୍ମଚାରୀ ହୋଇଥିବା ବେଳେ ଭୁବନେଶ୍ୱରର କିଛି ଦୋକାନକୁ ସୁନା ଅଳଙ୍କାର ବିକ୍ରି ଉଦ୍ଦେଶ୍ୟରେ ଆଣୁଥିବା କହିଛନ୍ତି । ଜିଆରପି ପୋଲିସ ସେମାନଙ୍କ ନିକଟରୁ କିଛି କାଗଜପତ୍ର ଜବତ କରିଥିବା ବେଳେ ଆଇଟି ବିଭାଗ ଏହାର ଖୋଳତାଡ଼ କରୁଛି ।