ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅ, ହୋଇପାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୁମ୍ବାଇରେ ସ୍କୁଲ ଖୋଲିବା ପରେ ଓଡ଼ିଶାରେ ସ୍କୁଲ ଖୋଲିବା ପାଇଁ ଦାବି ହୋଇଛି । ଏଣେ ରାଜ୍ୟରେ ଲଗାତର ସଂକ୍ରମଣ ହ୍ରାସ ପାଉଥିବାରୁ ଅଭିଭାବକ ଓ ଶିକ୍ଷାବିତ୍ ସ୍କୁଲ ଖୋଲିବା ପାଇଁ ଦାବି କରିଛନ୍ତି । ଏବେ ଅନଲାଇନରେ ପାଠପଢ଼ା ଚାଲିଥିବା ବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି । ଅପରପକ୍ଷେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଅନଲାଇନ୍ ପାଠପଢା ହେଉଥିବାବେଳେ ତାହା ପିଲାମାନଙ୍କ ପାଇଁ କେତେ ଫଳପ୍ରଦ ହେଉଛି ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।
ତେବେ ଜାନୁଆରୀ ୩ରୁ ସରକାର ରାଜ୍ୟରେ ପ୍ରାଥମିକ ସ୍କୁଲ୍ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଦୈନିକ କରୋନା ସଂକ୍ରମଣ ବଢ଼ିବାରୁ ଏଥିରୁ ନିବୃତ୍ତ ରହିବା ସହିତ ଅନ୍ୟ ସବୁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରିଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ସ୍କୁଲ୍ ଗୁଡ଼ିକ ବନ୍ଦ ହେବା ପରେ ଦ୍ୱିତୀୟ ସପ୍ତାହରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ବନ୍ଦ ହୋଇଥିଲା । ତେବେ ଅନ୍ଲାଇନ୍ରେ ପାଠପଢ଼ା ଜାରି ରହିଛି।
ଏ ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଉଛି । ତେଣୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ ହେବ । ଯଦି ସେମିତି କିଛି ବିଶେଷ ପରିସ୍ଥିତି ସୃଷ୍ଟି ହୁଏ, ତା’ହେଲେ ଅନ୍ୟ ନିଷ୍ପତ୍ତି ନିଆଯାଇପାରେ । କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବା ଉଚିତ୍ ବୋଲି ସେ କହିଛନ୍ତି ।