ସୋର ବସ୍ ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆଜି ଦ୍ବିପ୍ରଦରରେ ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସୋର ବିଦୁ ଛକ ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ । ଉଦଳାରୁ ଭୁବନେଶ୍ବରକୁ ଆସୁଥିବା ‘ଶାନ୍ତିଲତା’ ନାମକ ଘରୋଇ ବସ୍ ବିଦୁ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଦୁ ଛକ ବସ୍ ଷ୍ଟପ୍ରେ ଯାତ୍ରୀ ଓହ୍ଲାଉଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ବସ୍ଟିକୁ ଧକ୍କା ଦେଇଥିଲା । ଫଳରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଲକୁ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ସୋର ପୋଲିସ୍, ସୋର ଦମକଳ ବାହିନୀ, ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିଥିଲେ ।
ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତଦ୍ ବ୍ୟତୀତ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଵ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
