ଟିକେଟ୍ ମିଳିଲାନି, ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଆଶାୟୀ ପ୍ରାର୍ଥୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନୀ ତାରିଖ ଯେତିକି ପାଖେଇ ଆସୁଛି, ସେଠାକାର ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଟିକେଟକୁ ନେଇ ବିବାଦ ଲାଗି ରହିଛି । ଉତ୍ତର ପ୍ରଦେଶର ଆଲିଗଡରୁ ସପାର ଜଣେ ଆଶାୟୀ ପ୍ରାର୍ଥୀ ଆଦିତ୍ୟ ଠାକୁର ଟିକେଟରୁ ବଞ୍ଚିତ ହେବା ପରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ସାମାଜବାଦୀ ପାର୍ଟି ଅଫିସ ବାହାରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି ।

ବର୍ତ୍ତମାନ ଉତ୍ତର ପ୍ରଦେଶରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଲାୟମ ସିଂଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଅପରପକ୍ଷେ ଆଦିତ୍ୟ ଠାକୁର ଏଥର ଛର୍ରାରୁ ନିର୍ବାଚନ ଲଢ଼ିବେ ବୋଲି ଅଶା ରଖିଥିଲେ । ଦଳର ହାଇକମାଣ୍ଡ ତାଙ୍କୁ ଏଥିପାଇଁ ଟିକେଟ ମଧ୍ୟ ଦେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ହେଲେ ଯେତେବେଳେ ନିର୍ବାଚନୀ ଟିକେଟ୍ ବଣ୍ଟାଗଲା ସେତେବେଳେ ତାଙ୍କର ଏହି ଆଶା ମଉଳି ଯାଇଥିଲା । ତାଙ୍କୁ ସାମାଜବାଦୀ ପାର୍ଟି ମୁଖିଆ ଟିକେଟ୍ ଦେଇନଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ସେ ସୁସ୍ଥ ଥିବା ଜଣାପଡିଛି ।