ଜାନୁଆରୀ ୨୩ରୁ ପାଳନ ହେବ ଗଣତନ୍ତ୍ର ଦିବସ

ଦେଶର ଗଣତନ୍ତ୍ର ଉତ୍ସବ ପାଳନକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବିଶେଷ କରି ଜାନୁଆରୀ ୨୬ରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । ହେଲେ କିଛିବର୍ଷ ହେବ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଜାନୁଆରୀ ୨୪ରୁ ଗଣତନ୍ତ୍ର ଦିବସ ପାଳନ କରାଯାଉଥିଲା । ଏବେ ପୁଣି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ଏହା ପ୍ରତିବର୍ଷ ଜାନୁଆରୀ ୨୩ ରୁ ପାଳନ ଆରମ୍ଭ କରାଯିବ । ଅର୍ଥାତ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାସ ବୋଷଙ୍କ ଜନ୍ମଦିନରୁ ଗଣତନ୍ତ୍ର ଦିବସ ପାଳନ କରାଯିବ ।
ପୂର୍ବରୁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ । ଏବେ ଗଣତନ୍ତ୍ର ଦିବସ ଉତ୍ସବ ସହ ନେତାଜୀ ଜୟନ୍ତୀକୁ ପାଳନ କରି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ଓଡିଶାର କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ମହାନ୍ ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ନେତାଜୀଙ୍କୁ ସମ୍ମାନ ଜଣାଇ ଚଳିତବର୍ଷଠାରୁ ତାଙ୍କ ଜନ୍ମଦିନରୁ ଗଣତନ୍ତ୍ର ଦିବସ ପାଳନ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଥାଉକି ୧୯୫୦ ମସିହାଠାରୁ ପ୍ରତିବର୍ଷ ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ହୋଇଥାଏ । ଏହିଦିନ ଦେଶର ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । ଏହି ଅବସରରେ ଭାରତୀୟ ସେନା ନିଜର ପରାକ୍ରମ ବି ପ୍ରଦର୍ଶନ କରିଥାଏ ।
ଏତଦ୍ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରୁ କଳାକାରମାନେ ରାଜ୍ୟର କଳା ଓ ସଂସ୍କୃତିକୁ ନେଇ ସେମାନଙ୍କର କଳା ପ୍ରଦର୍ଶନ କରିଥାନ୍ତି । ଏଥିରେ ଦେଶର ବିବିଧତାର ଝଲକ ଦେଖିବାକୁ ମିଳିଥାଏ ।