ପୁଣି ଫେରିବ କୃଷି ଆଇନ୍ !

ପ୍ରାୟ ବର୍ଷେ କାଳ ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଛି କୃଷି ଆଇନ । ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ଏବେ ପୁଣି ଥରେ ଆସିବ । ଏହି କୃଷି ଆଇନ୍କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏହା କହିଛନ୍ତି । କେତେକ ଲୋକଙ୍କ ହିଂସାତ୍ମକ ବିରୋଧ ଯୋଗୁଁ କୃଷି ବିଲକୁ ପ୍ରତ୍ୟାହାର କରାଯାଇଛି ବୋଲି ତୋମାର କହିଛନ୍ତି । ଏହି ବିବାଦୀୟ କୃଷି ଆଇନକୁ ରଦ୍ଦ ପାଇଁ କେନ୍ଦ୍ର ମନ୍ତ୍ରୀ କିଛି ଲୋକଙ୍କୁ ଦାୟୀ କରିଛନ୍ତି । ବିନା ଆଲୋଚନା ଓ ବିତର୍କରେ ଏହି କୃଷି ଆଇନକୁ ରଦ୍ଦ କରାଯାଇଛି । ତେଣୁ ପରବର୍ତ୍ତୀ ସମୟରେ ଏହି ବିଲକୁ ପୁନର୍ବାର ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।
କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ଆମେ ସଂଶୋଧିତ କୃଷି ଆଇନ ଆଣିଥିଲୁ । ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ପଦେକ୍ଷପ ନିଆଯାଇଥିଲା । ହେଲେ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ସରକାର ନିରୁତ୍ସାହିତ ନୁହନ୍ତି । ଆମେ ଗୋଟିଏ ପାଦ ପଛେଇଛୁ ଏବଂ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି ।