ଏଣିକି ୧୮ ବର୍ଷ ନୁହେଁ, ଝିଅଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ହେବ…

ବଦଳିଲା ଝିଅଙ୍କ ବିବାହ ବୟସ ସୀମା । ଏବେ ୧୮ ବର୍ଷ ପରିବର୍ତ୍ତେ ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି ହୋଇଛି । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ସୂଚନା ଦେଇଥିଲେ । ଏହାପରେ ଗତବର୍ଷ ଜୁନ ମାସରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏଥିରେ ଟପ୍ ବିଶେଷଜ୍ଞ ଡା ଭିକେ ପଲ୍, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ରହିଥିଲେ । ଏହି ଟାସ୍କ ଫୋର୍ସର ନେତୃତ୍ୱ ଜୟା ଜେଟଲୀ ନେଇଥିଲେ । ଏହି ଟିମ୍ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଂଗଠନ ଗୁଡିକର ପରାମର୍ଶ ନେଇଥିଲେ । ଏହାପରେ ଡିସେମ୍ବର ମାସରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ଏହି ଟିମ୍ । ଏଥିରେ ପ୍ରଥମ ଗର୍ଭଧାରଣର ପାଇଁ ଝିଅଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ରହିବା ଦରକାର ବୋଲି ସୁପାରିସ କରାଯାଇଥିଲା । ଏହାବାଦ ବିବାହ ବୟସ ବୃଦ୍ଧି ହେଲେ ଏହା ଆର୍ଥିକ, ସାମାଜିକ, ସ୍ୱାସ୍ଥ୍ୟଗତ, ସମାଜ ଓ ପିଲାମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଟାସ୍କ ଫୋର୍ସ କହିଥିଲା ।
ବିବାହ ବୟସରେ ପରିବର୍ତନ ପାଇଁ ମୁଖ୍ୟତଃ ୪ଟି ଆଇନରେ ସଂଶୋଧନ ହେବ । ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବାହାଘର ବୟସ ୨୧କୁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି । ଏହି ପ୍ରସ୍ତାବ ସଂସଦର ଚଳିତ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଦେଶରେ ପୁଅମାନଙ୍କ ବିବାହ ବୟସ ସର୍ବନିମ୍ନ ୨୧ ବର୍ଷ ଥିବାବେଳେ ଝିଅଙ୍କ କ୍ଷେତ୍ରରେ ଏହା ୧୮ ବର୍ଷ ରହିଛି । ତେଣୁ କେନ୍ଦ୍ର ସରକାର ପୁଅଙ୍କ ଭଳି ଝିଅଙ୍କ ସର୍ବନିମ୍ନ ବିବାହ ବୟସ ସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାବାଦ ବାଲ୍ୟ ବିବାହ ଆଇନ, ସ୍ୱତନ୍ତ୍ର ବିବାହ ଆଇନ ଓ ହିନ୍ଦୁ ବିବାହ ଆଇନରେ ମଧ୍ୟ ସରକାର ସଂଶୋଧନ କରିବାକୁ ଚାହୁଁଛନ୍ତି ।
ଅନ୍ତିମ ଥର ପାଇଁ ୧୯୭୮ରେ ବିବାହ ଆଇନରେ ପରିବର୍ତ୍ତନ ହୋଇଥିଲା । ଏହା ପୂର୍ବରୁ ଶାରଦା ଆକ୍ଟ ୧୯୨୯ରେ ପରିବର୍ତ୍ତନ ହୋଇ ବିବାହ ବୟସ ସୀମା ୧୫ରୁ ୧୮ ବର୍ଷ ହୋଇଥିଲା । ୟୁନିସେଫର ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୫ ଲକ୍ଷ ଝିଅଙ୍କ ୧୮ ବର୍ଷରୁ କମ୍ ବୟସରେ ବିବାହ ହେଉଛି ।